ଜାତୀୟ ରାଜପଥ ଉପରେ ନିୟମ ଉଲଙ୍ଘନ କରି ଖୋଲିଥିବା ମଦଦୋକାନ ଓ ରେଷ୍ଟୁରାଣ୍ଟକୁ ସିଲ କଲେ କର୍ତ୍ତୃପକ୍ଷ…

ଜଳେଶ୍ୱର(ସମୃଦ୍ଧ ଓଡିଶା) ନିଶାସେବନ ଦ୍ୱାରା ଗାଡି ଚାଳକମାନେ ଘଟାଉଥିବା ଦୁର୍ଘଟଣା ଯୋଗୁଁ ହାଇୱେ ଅଥରିଟି ଓ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ରାସ୍ତାର ସର୍ବନିମ୍ନ ୨୨୦ମିଟର ଦୂରରେ ଠିପିଖୋଲା ମଦଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଥିବାରୁ ଗତକାଲି ଜଳେଶ୍ୱର ବାଇପାସ୍ ନହଞ୍ଜରାଠାରେ ଥିବା ହୋଟେଲ ରାଜପଥ ଓ ଠିପିଖୋଲା ମଦଦୋକାନଟିକୁ ବନ୍ଦ କରିଛି ଅବକାରୀ ବିଭାଗ । ଉକ୍ତ ମଦ ଦୋକାନଟି ଓଡିଶା ଅବକାରୀ ଅଧିନିୟମ ୨୦୧୭- ୩୬(୩) କୁ ଖୋଲାଖୋଲି ଉଲଙ୍ଘନ କରୁଥିବାରୁ ଏହାର ଲାଇସେନ୍ସ ଧାରି କିଶୋର କୁମାର ମହାନ୍ତିଙ୍କୁ ନୋଟସ୍ ଦେବା ସହିତ ମଦଦୋକାନକୁ ବନ୍ଦକରି ସିଲ କରାଯାଇଛି । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗର ଯୁଗ୍ମ ସଚିବ ଚିଠି ନଂ ୧୭୪/ ୯-୧-୨୦୧୯ ପ୍ରକାରେ ଜିଲାପାଳ ରମେଶଚନ୍ଦ୍ର ରାଉତ ଜିଲା ଅବକାରୀ ବିଭାଗକୁ ଏହି ମଦଦୋକାନ ସିଲ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଜଳେଶ୍ୱର ଅବକାରୀ ଏସ୍ଆଇ ହରପ୍ରସାଦ ରଣା, ଏଏସ୍ଆଇ ଦୋଳଗୋବିନ୍ଦ ଧଳ, କନେଷ୍ଟବଳ ବାବାଜି ପଣ୍ଡିତ ଉକ୍ତ ଦୋକାନକୁ ସିଲ କରିଛନ୍ତି । ରିପୋର୍ଟ : ଭୂପତି କୁମାର ପରିଡା