ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ – “ରକ୍ତଦାନରେ ଆନନ୍ଦ’ ସ୍ୱେଚ୍ଛାକୃତଦ୍ଧିଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର (ଆକାଶ ମିଶ୍ର)  – ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ  ଅବସରରେ ଜୟଦେବ ଭବନଠାରେ ଆୟୋଜିତ ସମାବେଶକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଆନୁଷ୍ଠାନିକ ଭାବେଉଦ୍ ଘାଟନ କରି ସ୍ୱେଚ୍ଛାକୃତ ରକ୍ତଦାନ ବୃଦ୍ଧିଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ୧୯୭୫ ମସିହାରୁ ପ୍ରତି ବର୍ଷ ଅକ୍ଟୋବର ୧ ତାରିଖଟିକୁ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଭାବେ ପାଳନ କରାଯାଉଛି । ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ  ସୁରକ୍ଷିତ , ପର୍ଯ୍ୟାପ୍ତ ଏବଂ ନିୟମିତ ରକ୍ତଦାନ କରି ଅମୂଲ୍ୟ ଜୀବନ ବଂଚାଇବାରେ ସହାୟକ ହେବାକୁ ଉତ୍ସାହୀତ କରିବା ହେଉଛି ଏହି ଦିବସ ପାଳନର ଉଦ୍ଧେଶ୍ୟ । ଆମର ବାର୍ଷିକ ପ୍ରାୟ ୪.୫ ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକତା ରହିଛି । ଗତ ବର୍ଷ ୪,୨୭,୦୦୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ପାରିଛି । ସେଥି ମଧ୍ୟରୁ ୧,୮୫,୯୫୫ ୟୁନିଟ୍ ରକ୍ତ ୩୨୦୪ ଟି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମାଧ୍ୟମରେ ସଂଗ୍ରହ କରାଯାଇଛି । ଏଣୁ ଅଧିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବାର ଆବଶ୍ୟକତା ରହିଛି । ଏଣୁ ସେ ଦିଗରେ ଉଦ୍ୟମ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ସୁରକ୍ଷିତ ରକ୍ତ , ରକ୍ତର ଗୁଣବତା ଏବଂ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ସହଜରେ ରକ୍ତର ଉପଲବ୍ଧତା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସପିଟାଲ , ବି.ଏମ୍.ସି ହସପିଟାଲ , କେନ୍ଦ୍ରୀୟ ରକ୍ତଭଣ୍ଡାର କଟକ ଏବଂ ଏସ୍.ସି.ବି , ଏମ୍.କେ.ସି.ଜି ଓ ଭିମ୍ସାରରେ ଥିବା ୬ ଗୋଟି ରକ୍ତ ଭଣ୍ଡାରରେ ନାଟ ପ୍ରଣାଳୀରେ ରକ୍ତ ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ରକ୍ତ ଭଣ୍ଡାର ଗୁଡିକରେ ଏହି ବ୍ୟବସ୍ଥା କରାଯାଉଛି । ବର୍ତମାନ ୧୪ ଟି ରକ୍ତ ଉପାଦାନ ପୃଥକୀକରଣ ୟୁନିଟ୍ ରହିଛି । ଖୁବ୍ଶୀଘ୍ର ବାଲେଶ୍ୱର , ବାରିପଦା , କେନ୍ଦୁଝର , କୋରାପୁଟ , ବରଗଡ , ବଲାଙ୍ଗିର ଏବଂ ରାଉରକେଲା ଠାରେ ଏହି ୟୁନିଟ୍ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଥିଲେ । ରକ୍ତଦାନରେ ଆନନ୍ଦ , ଏଣୁ ସ୍ୱେଚ୍ଛାକୃତ ରକ୍ତଦାନ କରି ଅମୂଲ୍ୟ ଜୀବନ ବଂଚାଇବା ଦିଗରେ ସହାୟକ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।ବିଧାୟକଦେବାଶିଷ ସାମନ୍ତରାୟ ତାଙ୍କ ଉଦ୍ବୋଧନରେ ରାଜ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ଏକ ବିପ୍ଳବ ଆଣି ବହୁମୂଲ୍ୟ ଜୀବନ ବଂଚାଇବାରେ ସହାୟକ ହେବାକୁ କହିଥିଲେ । ଏଥିପାଇଁ ସମସ୍ତେ ମିଳିମିଶି ଏହିଭଳି ଏକ ମହାନ କାର୍ଯ୍ୟକ୍ରମକୁ ଆଗେଇନେବାକୁ ଅନୁରୋଧ କରିଥିଲେ ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା ସୁରକ୍ଷିତରକ୍ତ ପାଇଁ ରାଜ୍ୟ ସରକାର ସମସ୍ତ ରକ୍ତ ଭଣ୍ଡାକୁ ନୋଇଡା ସ୍ଥିତ ଜାତୀୟ ଜୀବ ବିଜ୍ଞାନ ପ୍ରତିଷ୍ଠାନ ସହିତ ସଂଯୋଗ କରିଛନ୍ତି ବୋଲି ସୂଚନା ଦେଇଥିଲେ । ସେ କହିଥିଲେ ଯେ ସିକିଲସେଲ ଏବଂ ଥାଲାସେମିଆ ରୋଗର ନିୟନ୍ତ୍ରଣ ପାଇଁ ସି.ଏମ୍.ସି ଭେଲୋର ସହ ବୁଝାମଣା ସ୍ୱାକ୍ଷର କରାଯାଇଛି । ବୁଝାମଣାପତ୍ର ଅନୁଯାୟି ବାଲେଶ୍ୱର , ସମ୍ବଲପୁର , କୋରାପୁଟ ଏବଂ କଟକରେ ପରୀକ୍ଷାମୂଳକ ଭାବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏତଦ୍ବ୍ୟତିତ ଥାଲାସେମିଆ , ସିକିଲସେଲ ଆନିମିଆ ଏବଂ ହେମୋଫିଲିଆରେ ଆକ୍ରାନ୍ତ ରୋଗୀଙ୍କୁ ଜାତାୟତ ଖର୍ଚ୍ଚ ବାବଦକୁ ୫୦୦ ଟଙ୍କା ଲୋଖା ଏବଂ ସ୍ୱେଚ୍ଛାକୃତ ରକ୍ତଦାତା ମାନଙ୍କୁ ଜଳେଯାଗ ବାବଦକୁ ୬୦ ଟଙ୍କା ଲେଖା ପ୍ରଦାନ ବ୍ୟବସ୍ଥା କରାଯାଇଛି । ବୋଲି ପ୍ରକାଶ କରିଥିଲେ । ସ୍ୱତନ୍ତ୍ର ସଚିବ ଡାଃ ବି.କେ.ବ୍ରହ୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ରକ୍ତସଂଚାରଣ ପରିଷଦ ନିର୍ଦ୍ଧେଶକ ଡାଃ ଦୀପକ କୁମାର ଦାସମହାପାତ ଧନ୍ୟବାଦ ଅର୍ପଣ କରିଥିଲେ ।