ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜାତୀୟ ଡ଼ାକ୍ତର ଦିବସ ଅବରରେ ମଧୁମେହ ଗବେଷଣାତ୍ମକ ସଂସ୍ଥା ରିସର୍ଟ ସୋସାଇଟି ଫର ଷ୍ଟଡ଼ି ଅଫ୍ ଡ଼ାଏବେଟିସ୍ ଇନ୍ ଇଣ୍ଡିଆ (ଆର୍ଏସ୍ଏସ୍ଡ଼ିଆଇ) ପକ୍ଷରୁ ଜନସାଧାରଣଙ୍କୁ ମଧୁମେହ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ମଧୁମେହକୁ ମାତ୍ ନାମକ ଅଭିଯାନ ଆରମ୍ଭ ହୋଇଯାଇଛି । ଆଗାମୀ ୧୦୦ ଦିନ ପାଇଁ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତସାରା ୧୦ହଜାର ଡ଼ାକ୍ତର ବାର୍ତ୍ତାବହକ ଭାବେ ଯୋଗଦାନ କରିବେ । ବ୍ରହ୍ମପୁର ସ୍ଥିତ ଡ଼ାଏବେଟିସ୍ ଆଣ୍ଡ ଏଣ୍ଡୋକେର କ୍ଲିନିକ୍ର ଅଭିଜ୍ଞ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡ଼ା. ସୁନିଲ କୁମାର କୋଟାଙ୍କ ନେତୃତ୍ୱରେ ଓଡ଼ିଶାର ସମଗ୍ର ୩୦ଟି ଜିଲ୍ଲାରୁ ସମୁଦାୟ ୨୫୬ ଡ଼ାକ୍ତର ଏଥିରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ନିଜ ରକ୍ତସର୍କରା ଯାଞ୍ଚ କରିବା ସହ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ବିଶେଷ ଅଭଯାନରେ ଆର୍ଏସ୍ଏସ୍ଡ଼ିଆଇ ଦ୍ୱାରା ଦୈନିକ ପ୍ରକାଶିତ ହେବା ମଧୁମେହ ସମ୍ବନ୍ଧୀୟ ନାନା ଶିକ୍ଷଣୀୟ ତଥ୍ୟ ସ୍ୱେଚ୍ଛାସେବୀ ଡ଼ାକ୍ତରମାନେ ସାମାଜିକ ଗଣମାଧ୍ୟମରେ ଦୈନିକ ସଂପ୍ରସାରଣ କରିବେ । ଆଗାମୀ ୧୦୦ ଦିନରେ ୧୦୦ ମିଲିୟନ ଲୋକଙ୍କୁ ସଚେତନ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏହି ସଚେତନତାର ମୂଳନୀତି ହେଉଛି ପରୀକ୍ଷଣ, ଚିକିତ୍ସା ଏବଂ ନିୟନ୍ତ୍ରଣକୁ ଗୁରୁତ୍ୱ ଦେବା । ବାର୍ତ୍ତା ଦେଇଥିବା ବିଶିଷ୍ଟ ଅତିଥିମାନେ ଏବଂ ଜନସାଧାରଣ ଡା. କୋଟାଙ୍କୁ ଅଭିନନ୍ଦନ ଜ୍ଞାପନ କରି ଏହି ଅଭିଯାନ ଜରିଆରେ ଲୋକମାନଙ୍କ ମଧ୍ୟରେ ମଧୁମେହ ସମ୍ବନ୍ଧୀୟ ସଚେତନତା ଏବଂ ସୁସ୍ଥ ଜୀବନଯାପନ ଶୈଳୀ ପ୍ରକ୍ରିୟା ଆଦି ଜ୍ଞାନବୃଦ୍ଧି ହେବ ବୋଲି ଆଶାବ୍ୟକ୍ତ କରି ଶୁଭେଚ୍ଛା ଜଣାଇଥିବା ଜଣାଯାଇଛି ।