ଛତ୍ରପୁର (ସମୃଦ୍ଧ ଓଡିଶା) ଜାନିବିଲ ପ୍ରକଳ୍ପରୁ ଆସନ୍ତା ଜାନୁୟାରୀ ୩୦ସୁଦ୍ଧା ଜଳ ଯୋଗାଣ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନିବିଲ ପାନୀୟ ଜଳ ପ୍ରକଳ୍ପରୁ ପାଇପ ଲାଇନ ଯୋଗେ ପାନୀୟଜଳ ସହରାଞ୍ଚଳର ଲୋକଙ୍କୁ ଯୋଗାଇବା ପାଇଁ ସରକାର ତତ୍ପର ହୋଇଉଠିଛନ୍ତି । ହେଲେ ନିର୍ମାଣ ସମୟରେ ଫସଲ କ୍ଷୟକ୍ଷତି ପ୍ରତି କ୍ଷେତରେ ଯଥେଷ୍ଟ ଧ୍ୟାନ ଦେବାକୁ ସହରାଞ୍ଚଳ ଉନ୍ନୟନ ପ୍ରମୁଖ ଶାସନ ସଚ୍ଚିବ ଜି. ମାଥିଭାତିନାନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ପ୍ରକଳ୍ପ କାର୍ଯ୍ୟର ମନ୍ଥରତାକୁ ନେଇ ମାଥିଭାତିନାନ ଉଦବେଗ ପ୍ରକାଶ କରିବା ସହ ପାଇପ ଲାଇନ ବିଛାଇବା କାର୍ଯ୍ୟରେ ନିୟୋଜିତ ଥିବା ଟିମ ସଂଖ୍ୟାକୁ ବଢ଼ାଇ ଏଲ ଆଣ୍ଡ ଟି ଠିକା ସଂସ୍ଥା ଆସନ୍ତା ଜାନୁୟାରୀ ୩୦ ସୁଦ୍ଧା ଜଳଯୋଗାଣ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ । ଜାନିବିଲ ପ୍ରକଳ୍ପର ଜଳ ଉତ୍ସ କୁପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି । ବ୍ରହ୍ମପୁରର ଦକ୍ଷିଣପୁର ଠାରେ ଜଳ ବିଶୋଧନାଗାର କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇଯାଇଛି । ୫୬ କିମି ପାଇପ ଲାଇନ ବିଛାଇବା କାର୍ଯ୍ୟରୁ ୧୦ କିମି ବାକି ଅଛି । ଏଥିରୁ ୬ କିମି ଜଳମଗ୍ନ କ୍ଷେତ୍ର ଅଛି । ଅବଶିଷ୍ଟ ୪ କିମିରେ ଚାଷୀମାନଙ୍କ ଫସଲ ଲାଗିଛି । ଫସଲ ଯେପରି କ୍ଷତି ନ ହୁଏ ସେଥି ପ୍ରତି ଧ୍ୟାନ ଦେବାକୁ ନିର୍ଦେଶ ଦେଇଥିଲେ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସାରିବାକୁ ହେଲେ ପ୍ରତ୍ୟହ ୫୦୦ ରୁ ଉର୍ଦ୍ଧ୍ୱ ଶ୍ରମିକ ପାଇପ ଲାଇନ ବିଛାଇବା କାର୍ଯ୍ୟ କରିବେ ଓ ଦୈନିକ ୪୦୦ ମିଟରରୁ ଉର୍ଦ୍ଧ୍ୱ ପାଇପ ଲାଇନ ବିଛାଇବେ ବୋଲି ନିର୍ଦେଶ ଦେଇଥିଲେ । ଏହା ବୃହତ ଆକାରର ପାଇପ ଲାଇନ ହୋଇଥିବାରୁ କୃଷି କାର୍ଯ୍ୟରେ ସମସ୍ୟା ସୃଷ୍ଟି ନ କରି ୩ ଫୁଟରୁ ଉର୍ଦ୍ଧ୍ୱ ମାଟି ତଳେ ନିର୍ମାଣ ପାଇଁ ନିର୍ଦେଶ ରହିଛି । ଦୈନିକ କାର୍ଯ୍ୟ ଅଗ୍ରଗତିର ବିବରଣୀ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପାଇଁ ମଧ୍ୟ କୁହାଯାଇଛି । ପାଇପ ଲାଇନ ବିଛାଯିବାବେଳେ କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତି ଠିକାଦାରଙ୍କ ଠାରୁ ଅର୍ଥ ଦାବୀ କରୁଥିବା ଦୃଷ୍ଟିକୁ ଆସିଥିବାରୁ ସେମାନଙ୍କୁ ଚିହ୍ନଟ କରି ପୋଲିସରେ ଏଫ ଆଇ ଆର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନିବିଲି ପ୍ରକଳ୍ପ ସ୍ଥଳ ଓ ଦକ୍ଷିଣପୂର ଜଳ ବିଶୋଧନାଗାର ସ୍ଥାନକୁ ଯଥେଷ୍ଟ ସଫା ରଖିବା ସହିତ କୋଠାବାଡ଼ିରେ ଆକର୍ଷଣୀୟ ରଙ୍ଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖୁବ କମ ସମୟ ମଧ୍ୟରେ ପ୍ରମୁଖ ଶାସନ ସଚ୍ଚିବ କ୍ଷେତ୍ର ପରିଦର୍ଶନ କରିବେ ବୋଲି ପ୍ରକାଶ କରିଛନ୍ତି । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତା, ଜନସ୍ୱାସ୍ଥ୍ୟ ବିଭାଗ ଇଂଜିନିୟର ଇନ ଚିଫ ଏସ. ଲକ୍ଷ୍ମୀପତି, ବ୍ରହ୍ମପରୁ ଜନସ୍ୱାସ୍ଥ୍ୟ ବିଭାଜନ ନିର୍ବାହୀ ଯନ୍ତ୍ରୀ ତଥା ଜାନିବିଲ ପ୍ରକଳ୍ପ ଇନଚାର୍ଜ ସୀତାରାମ ପଣ୍ଡା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା