ଜାନୁଆରୀ ୧୦ରେ ଗଜପତି ଉତ୍ସବ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଉତ୍ସବ ଆୟୋଜନକୁ ନେଇ ଦେଖା ଦେଇଥିବା ଦ୍ୱନ୍ଦର ଗତକାଲି ଅବସାନ ଘଟିଛି । ଗତକାଲି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଦ୍ୱିତୀୟ ପ୍ରସ୍ତୁତ ବୈଠକରେ ଗଜପତି ଉତ୍ସବ ଆୟୋଜନ ହେବା ନେଇ ତାରିଖ ଘୋଷଣା ହୋଇଛି । ଗଜପତି ଉତ୍ସବ -୨୦୧୯ ପୂର୍ବରୁ ନିର୍ଧାରିତ ହୋଇଥିବା ତାରିଖରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପ୍ରଥମ ବୈଠକରେ ଡିସେମ୍ବର ମାସ ୧୮ ରୁ ଗଜପତି ଉତ୍ସବ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ଡିସେମ୍ବର ୨୧ ତାରିଖ ଦିନ ଜିଲ୍ଲାକୁ ଜାତୀୟ ଶିଶୁ ଅଧିକାରୀ ସୁରକ୍ଷା କର୍ମିଶନଙ୍କ ଗ୍ରସ୍ତ ରହିଥିବାରୁ ୨୦୨୦ ଜାନୁଆରୀ ୧୦ ତାରିଖରେ ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ଆରମ୍ଭ କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ପୂର୍ବରୁ ଜାନୁଆରୀ ୯ ତାରିଖ ମଧ୍ୟରେ ସମସ୍ତ ବ୍ଲକ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହେବ । ତେବେ ଏଥିପାଇଁ ଆସିବାକୁ ଥିବା ମହେନ୍ଧ ଜ୍ୟୋତି ଡିସେମ୍ବର ୩୦ ତାରିଖ ଦିନ ଆସିବ । ପାରଳାଖେମୁଣ୍ଡି ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରା କରି ଜ୍ୟୋତିକୁ ସ୍ୱାଗତ କରାଯାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ରଖାଯିବ ଏବଂ ଉତ୍ସବ ଦିନ ଏହାକୁ ଏକ ବିରାଟ ପଟୁଆରରେ ଉତ୍ସବ ସ୍ଥଳକୁ ନିଆଯିବ । ଏହାପରେ ଉତ୍ସବ ଆରମ୍ଭ ହେବ । ତେବେ ପ୍ରଥମ ବୈଠକରେ ଗଠନ ହୋଇଥିବା ଉପକମିଟିର କୈାଣସି ପରିବର୍ତ୍ତନ ହେବ ନାହିଁ । ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କ ସମେତ ସମସ୍ତ ଉପକମିଟି ଅଧ୍ୟକ୍ଷ, ସମସ୍ତ ବ୍ଲକ ବିଡିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ – କୃଷ୍ଣ କୁମାର ବେହେରା