

ଜାମ୍ମୁ (ସମୃଦ୍ଧ ଓଡିଶା) ଜମ୍ମୁ-କାଶ୍ମୀରର ପୁଲୱାମାର ଅବନ୍ତିପୁରାରେ ବଡ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଘଟଣା ହାଇୱେ ଉପରେ ହୋଇଥିଲା । ଏହି ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ୩୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୪୫ରୁ ଅଧିକ ଯବାନ ଆହତ ହୋଇଛନ୍ତି । ତେବେ ଏହି ଘଟଣା ପରେ ଭାରତରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ଭାରତୀୟ ସେନାଧ୍ୟକ୍ଷ ବି.କେ ସିଂହ ଏହି ଘଟଣା ପରେ ଆତଙ୍କବାଦୀଙ୍କୁ ମାନଙ୍କୁ କଡା ଜବାବ ଦିଆଯିବ ବୋଲି କହିଛନ୍ତି । ସହିଦଙ୍କ ପ୍ରତିଟି ରକ୍ତବିନ୍ଦୁର ହିସାବ ନିଆଯିବା ସହ ଆତଙ୍କୀ ହମଲାର ପ୍ରତିଶୋଧ ନିଆଯିବ । ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ବି.କେ ସିଂହ । ଏହି ଘଟଣା ଜମ୍ମୁ-କାଶ୍ମୀରରୁ ଶ୍ରୀନଗର ଅଭିମୁଖେ ହାଇୱେରେ ସିଆରପିଏଫର ଯବାନମାନେ ୧୦ରୁ ଅଧିକ ବସରେ ଯାଉଥିବା ବେଳେ ପୁଲୱାମାର ଅବନ୍ତିପୁରା ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ସମୟରେ ସିଆରପିଏଫର ଦୁଇଟି ବସକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ସିଆରପିଏଫ ଯବାନଙ୍କ ବସ୍ ସହ ଆଇଇଡି ବିସ୍ଫୋରକ ଭର୍ତ୍ତି ହୋଇଥିବା ଏକ କାରକୁ ଧକ୍କା ଦେଇଥିଲେ ଆତଙ୍କବାଦୀ ।





