ଜିରୋ କାଜୁଆଲିଟିକୁ ଦୃଷ୍ଟିରେ ରଖି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଶୈଳୀ ନିର୍ଦ୍ଧାରିତ ହେବ:ଗଞ୍ଜାମ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହିତ ମୁକାବିଲା କରିବା ପାଇଁ ପ୍ରସ୍ତୁତିକୁ ଅଧିକ ସୁଦୃଢ କରାଯିବ । ଜିଲ୍ଲା ସ୍ତରରେ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରାଯିବ । ମହିଳା ମାନଙ୍କୁ ବିପର୍ଯ୍ୟୟ ମୁକାବିଲାର ଆଗଧାଡ଼ିରେ ରଖିବା ପାଇଁ ଜିଲ୍ଲାର ୫୦୦୦ ସ୍ୱୟଂ ସହାୟିକା ମହିଳାଙ୍କୁ ତାଲିମ ପ୍ରଦାନ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ପ୍ରତ୍ୟେକ ବ୍ଲକର ୫୦ଜଣ ମହିଳାଙ୍କୁ ଏହି ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମରେ ତାଲିମ ପ୍ରଦାନ କରାଯାଇଛି । ସେମାନଙ୍କ ପ୍ରେରଣାରେ ଅନ୍ୟ ମହିଳାମାନେ ସ୍ୱୟଂସିଦ୍ଧାର ସଦସ୍ୟ ହେବାକୁ ଆଗ୍ରହ ହେବେ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଉପଯୁକ୍ତ ତାଲିମ ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।ପୂର୍ବାହ୍ନରେ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଏକ ସଚେତନତା ରାଲି ଛତ୍ରପୁର ଷ୍ଟାଡିୟମ ଠାରେ ଜିଲ୍ଲାପାଳ ଉଦଘାଟନ କରିଥିଲେ । ରାଲି ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଭାର ଆୟୋଜନ ହୋଇଥିଲା । ସଭାରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠି, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପ୍ରଭୃତି ଯୋଗଦାନ କରିଥିଲେ ।ବିପର୍ଯ୍ୟୟ ପ୍ରଶମନ ଦିବସ ଉପଲକ୍ଷେ ଅନୁଷ୍ଠିତ ପ୍ରବନ୍ଧ, ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୨୭ ଜଣ ବିଦ୍ୟାର୍ଥୀଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଛତ୍ରପୁର ବ୍ଲକର ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମରେ ପାରଦର୍ଶିତା ହାସଲ କରିଥିବା ୧୧ ଜଣ ମହିଳାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପରେ ପରେ ସ୍ୱୟଂସିଦ୍ଧାର ସଦସ୍ୟମାନେ ନିଆଁକୁ ଆୟତ କରିବା, ଆତ୍ମରକ୍ଷା, ରାସ୍ତା ଦୁର୍ଘଟଣାରେ ସହାୟତା, ବୁଡି ଯାଇଥିଲା ଲୋକଙ୍କୁ ଉଦ୍ଧାର, ଭଗ୍ନ ଗୃହରୁ ଅସହାୟଙ୍କୁ ଉଦ୍ଧାର ଏବଂ ଉଚ୍ଚ ଅଟାଳିକାରୁ ଉଦ୍ଧାର ପ୍ରଭୃତି କୌଶଳ ପ୍ରଦର୍ଶନ କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରଜ୍ଞାସାଗରିକା ଖଟୋଇ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା