ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି…

ପୋଲସରା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକ ପରିସରରେ ଜୁଲାଇ ୧୧ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳ ମହୋଦୟ ଓ ଆରକ୍ଷୀ ଅଧିକ୍ଷକ ମହୋଦୟଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପୋଲସରା ବ୍ଲକ ଅତିରିକ୍ତ ବିଡ଼ିଓ ଧର୍ମରାଜ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଭି.କୀର୍ତି ଭାସନ ପ୍ରମୁଖ ଅଭିଯୋଗ ଶୁଣାଣୀରେ ଯୋଗ ଦେଇଥିଲେ । ପୋଲସରା ବ୍ଲକର ୨୬ ପଞ୍ଚାୟତରୁ ପ୍ରାୟ ୧୯୦ ଜଣ ନିଜର ସମସ୍ୟା ନେଇ ଅଭିଯୋଗ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ନିକଟରେ ଉପସ୍ଥାପନ କରିଥିଲେ । ବିଭିନ୍ନ ପଞ୍ଚାୟତର ଅଭିଯୋଗ ଦାଖଲକାରୀ ବୃନ୍ଦ ସକାଳ ୮ ଘଣ୍ଟା ସମୟରୁ ପୋଲସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତି ରହି ପଞ୍ଜିକୃତ କରିଥିଲେ । ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧା ଓ ଅସହାୟ ବ୍ୟକ୍ତି ବୃନ୍ଦଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ସହାୟତା ଯୋଜନାରୁ ବଞ୍ଚିତ ରହିଥିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚିରିକିପଡା ଶାସନ ପଞ୍ଚାୟତରେ ବେଆଇନ ମାଛ ଚାଷ ଓ ଅନ୍ୟାନ୍ୟ ଦୁର୍ନୀତି ଓ ମନମୁଖି କାର୍ଯ୍ୟ କଳାପକୁ ନେଇ ଗ୍ରାମବାସୀ ବୃନ୍ଦ ଜନଶୁଣାଣୀ କାର୍ଯ୍ୟକ୍ରମରେ ଅଭିଯୋଗ କରିଥିଲେ । ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଓ ଉପଯୁକ୍ତ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ବିଷୟ ନେଇ ପୋଲସରାର କାର୍ଯ୍ୟରତ ସାମ୍ବାଦିକ ବୃନ୍ଦ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୋଲସରାର ଗୋପବନ୍ଧୁ ପାଠାଗାର ଦିର୍ଘ ବର୍ଷ ଧରି ଜବରଦଖଲରେ ଥିବା ବେଳେ,ଜବରଦଖଲ ମୁକ୍ତ କରି ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । ପୋଲସରା ବ୍ଲକ ଗାଁ ସାଥି ସଂଘ ସଦସ୍ୟ ବୃନ୍ଦ ସେମାନଙ୍କ ବକେୟା ଥିବା ପ୍ରାପ୍ୟ ତୁରନ୍ତ ପ୍ରଦାନ ସହ ୮ ଦଫା ଦାବି ପତ୍ର ପ୍ରଦାନ ପ୍ରଦାନ କରିଥିଲେ । ଛତ୍ରପୁର ସ୍ଥିତ ସମର୍ଥ ଆବାସିକ ସ୍ବତନ୍ତ୍ର ବିଦ୍ୟାଳୟର ସାଧାରଣ ସଂପାଦକ ଡ଼ଃ କେ ଆନନ୍ଦ ରାଓଙ୍କ ନାମରେ ମିଥ୍ୟା ଅଭିଯୋଗକୁ ନେଇ ୫୦ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ମହିଳାମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଜନଶୁଣାଣୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬ଜଣ ହିତାଧିକାରୀଙ୍କୁ ୫୫ ହଜାର ଟଙ୍କାର ବ୍ୟାଙ୍କ ଚେକ୍ ପ୍ରଦାନ କରାଯାଇଥିବା ବେଳେ କିଛି ଭିନ୍ନକ୍ଷମ ହିତାଧିକାରୀଙ୍କୁ ଆଶାବାଡି ଓ ହୁଇଲ୍ ଚେୟାର ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା