

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ସାମୁହିକ ସ୍ୱଚ୍ଛତା ଦିବସ ପାଳନ କରାଯାଇ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ କରାଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ମାସ ତମାମ ପାଳନ କରାଯାଇ ରାଲି ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ ସ୍ଲୋଗାନ ଦେଇ ଗ୍ରାମ ପଞ୍ଚାୟତ ସ୍ତର ଠାରୁ ଆରମ୍ଭ କରି ସହରାଞ୍ଚଳର ସମସ୍ତ ସ୍ଥାନରେ ଆଜି ସାମୁହିକ ଶପଥ ପାଠ କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି ଯେ ଅକ୍ଟୋବର ମାସର ପ୍ରତ୍ୟେକ ସୋମବାର ଦିନ ପ୍ଲାଷ୍ଟିକ ମୁକ୍ତ ଏବଂ ଜଳ ସ୍ୱଚ୍ଛ ଦିବସ ପାଳନ ହେବ । ଆଜିର ଏହି ପ୍ରଥମ ଦିବସରେ ଜିଲ୍ଲାର ସମସ୍ତ ପଦାଧିକାରୀ ଏବଂ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ରାଲି ଏବଂ ଶପଥ ପାଠ କରାଇଥିଲେ । ମୋ ସ୍ୱାଭିମାନ ଓ ସ୍ୱଚ୍ଛ ଗଞ୍ଜାମର ବହୁଳ ପ୍ରଚାର କରି ଜିଲ୍ଲାରୁ ଯେପରି ପ୍ଲାଷ୍ଟିକ ମୁକ୍ତ ହେବ ସେ ଦିଗରେ ପ୍ରୟାସ ଜାରି ରହିବ । ଜିଲ୍ଲାପାଳ ସମସ୍ତ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ପ୍ଲାଷ୍ଟିକ ବ୍ୟବହାର କମ କରନ୍ତୁ ଏବଂ ଯେଉଁ ସ୍ଥାନରେ ପ୍ଲାଷ୍ଟିକ ବ୍ୟବହାର ଅପରିହାର୍ଯ୍ୟ ହେଉଛି ତାହାର ବ୍ୟବହାର ପରେ ସେଗୁଡିକର ପରିଚାଳନା ଯେପରି ସଠିକ ହୋଇ ପାରିବ ସେଥି ନିମନ୍ତେ ତତ୍ପରତା ପ୍ରକାଶ କରନ୍ତୁ । ପୋଖରୀ ଗୁଡିକର ସୌନ୍ଦର୍ଯ୍ୟ ଓ ସଫେଇ କରଣ ଦିଗରେ ଗୋଷ୍ଠିଗତ ମାନଙ୍କର ସମ୍ପୃକ୍ତି ନିହାତି ଆବଶ୍ୟକ । ସେଥିନିମନ୍ତେ ପୋଖରୀ କମିଟି ଗଠନ କରାଯାଇ ତାର ପରିଚାଳନା ଦାୟିତ୍ୱ ପ୍ରଦାନ କରାଯିବ । ଜନସାଧାରଣଙ୍କର ସହଭାଗିତା ଦ୍ୱାରା ହିଁ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇ ପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଆଜିର ପ୍ରଥମ ଦିବସରେ ଗୋପାଳପୁର ବେଳାଭୂମି, ହିଞ୍ଜିଳିକାଟୁ, ବ୍ରହ୍ମପୁର ପ୍ରଭୃତି ଅଞ୍ଚଳରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଚାର ପ୍ରସାର କରାଯାଇଥିଲା ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
