ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା ଶିବିର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ମଳୟ ରଂଜନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ରାମଚନ୍ଦ୍ର ବିଦ୍ୟାପୀଠ, ତାଳବରକୋଟ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଶିଶୁ ନ୍ୟାୟ ଅଧିନିୟମ, ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବ୍ୟବସ୍ଥା ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅରୁଣ ପଟ୍ଟନାୟକ ଅଧ୍ୟକ୍ଷତା କରି ଶିଶୁ ମାନଙ୍କର ଅଧିକାର, ସେମାନଙ୍କ ପାଇଁ ଆଇନରେ ଥିବା ବିଭିନ୍ନ ନିୟମ ଓ ଆଜିର ଶିଶୁ କାଲିର ଭବିଷ୍ୟତ ବୋଲି ନିଜର ଅଭିଭାଷଣରେ କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଶତପଥୀ, ୬ ରୁ ୧୪ ବର୍ଷ ପିଲାମାନଙ୍କ ପାଠ ପଢିବା ପାଇଁ ବାଧ୍ୟତାମୂଳକ ବୋଲି ନିଜର ବକ୍ତବ୍ୟରେ କହିଥିଲେ । ସରପଞ୍ଚ ହେମନ୍ତ କୁମାର ଜେନା, ବିଦ୍ୟାଳୟ କମିଟିର ସଭାପତି ଦିଲୀପ କୁମାର ରାଉତ, ମୋ ସ୍କୁଲର ସଭାପତି ଶ୍ୟାମସୁନ୍ଦର ରଣା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଶିବିରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପିଏଲଭି ଟଙ୍କଧର ବାରିକ ପରିଚାଳନାରେ ସହାୟତା କରିଥିଲେ ।ପରିଶେଷରେ ଭାଷଣ ଏବଂ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା । ଏହାସହ ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ : ଶୁଭମ କୁମାର ପାଣି