ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା ଶିବିର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ, ଓଡାପଡା, ଜିଲ୍ଲା ଢେଙ୍କାନାଳ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ସମାଜର ମଙ୍ଗଳ ଯୋଜନା ବିଷୟରେ ଶିବିରରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ମାନେ ସବିଶେଷ ଆଲୋଚନା କରିଥିଲେ ।ପ୍ରାରମ୍ଭରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅରୁଣ ପଟ୍ଟନାୟକ ସେହି ଅଂଚଳର ଲୋକମାନେ କିଭଳି ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ପାଇପାରିବେ ଏବଂ ଯଦି କୌଣସି ସମୟରେ କାହାର ଅଧିକାର କ୍ଷୁଣ୍ଣ ହେଉଥାଏ ସେ କିଭଳି ଭାବରେ ଆଇନଗତ ସହାୟତା ପାଇପାରିବ ସେ ବିଷୟରେ ଉପସ୍ଥିତ ଜନସମୁଦାୟଙ୍କୁ ଅବଗତ କରାଇଥିଲେ । ଢେଙ୍କାନାଳ, ଉପଜିଲ୍ଲାପାଳ, ସାଫଲ୍ୟ ମଣ୍ଡିତ ପ୍ରଧାନ, ସେ ଅଞ୍ଚଳରେ ବସବାସ କରିଥିବା ଲୋକମାନଙ୍କୁ କିଭଳି ବାସଗୃହ, ଆଧାର ପରିଚୟପତ୍ର, ରାସନ କାର୍ଡ, ଭୋଟର ପରିଚୟପତ୍ର ମିଳିପାରିବ ସେ ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଓଡାପଡା ତହସିଲଦାର ଶୁଶ୍ରୀ ବାଣୀ ନିବେଦିତା ସ୍ୱାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ସମାଜର ମଙ୍ଗଳ କାର୍ଯ୍ୟକ୍ରମ ଓ ଯୋଜନା ବିଷୟରେ ବିଷଦ ଭାବାରେ ଆଲୋଚନା କରିଥିଲେ । ଜିଲ୍ଲା ରେଶମ ଚାଷ ବିଭାଗ, ଉପ ନିର୍ଦ୍ଦେଶକ, ସୁରେଶ ଚନ୍ଦ୍ର ବେହେରା, ବିଭିନ୍ନ ପ୍ରକାରର ଲାଭଦାୟକ ଚାଷ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହାସହ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସାହାର୍ଯ୍ୟ ଓ ପ୍ରୋତ୍ସାହନ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ଶ୍ରମ ଅଧିକାରୀ ମନଭଞ୍ଜନ ପ୍ରଧାନ ସେହି ଅଞ୍ଚଳରେ ଥିବା ସଂଗଠିତ ଶ୍ରମିକ/ଅଣ ସଂଗଠିତ ଶ୍ରମିକ ମାନଙ୍କ ମଧ୍ୟରେ ୨୦୦ଟି ସାଇକେଲ ବଣ୍ଟନ କରିଥିଲେ । ଓଡାପଡା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ୩ବର୍ଷ ରୁ ୫ ବର୍ଷ ବୟସରେ ସମସ୍ତ ଶିଶୁ ମାନଙ୍କୁ ଅଙ୍ଗନୱାଡି କେନ୍ଦ୍ରକୁ ପଠାଇବା ପାଇଁ ପରାମର୍ଶ ଦେବା ସହିତ ବାଧ୍ୟତାମୂଳକ ଶିକ୍ଷା ଆଇନ ବିଷୟରେ ଉଦବୋଧନ ଦେଇଥିଲେ । ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ନାୟକ ନିଜର ବକ୍ତବ୍ୟରେ କୃଷକ ମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକାରର ଜନମଙ୍ଗଳ ଯୋଜନା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋଟଙ୍ଗା ଥାନା ଅଧିକାରୀ ନମିତା ନାୟକ, ଫାଣ୍ଡି ଅଧିକାରୀ ଓଡାପଡା ଅକ୍ଷୟ କୁମାର ଦାସ, ବାଙ୍ଗୁରସିଂହ ଗ୍ରାମ ପଂଚାୟତ ଜଗବନ୍ଧୁ ଦଳେଇ ଏହି ଶିବିରରେ ଉପସ୍ଥିତ ରହିଥିଲେ । ଡିଏଲଏସଏ ଢେଙ୍କାନାଳର ପିଏଲଭିଏସ ପ୍ରମୋଦ କୁମାର ସ୍ୱାଇଁ, ବ୍ରହ୍ମାନନ୍ଦ ସାହୁ, ମନୋରଞ୍ଜନ ସ୍ୱାଇଁ, ବଶିଷ୍ଠ ବରାଳ, ଅଭିରାମ ବାରିକ ଶିବିର ପରିଚାଳନାରେ ସହାୟତା କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି