ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକ୍ଡାଉନ୍ ଜାରୀ କରାଯାଇଥିବାରୁ ସବୁ କିଛି ବନ୍ଦ ରହିଛି । ତେଣୁ ବାହାର ରାଜ୍ୟରେ ରହି କାମ କରୁଥିବା ଶ୍ରମିକମାନେ କିଛି କାମ ଧନ୍ଦା ନ ପାଇ ଚାଲି ଚାଲି ନିଜ ନିଜ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁଗମ୍’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚାଲି ଚାଲି ଆସୁଥିବା ବାହାର ରାଜ୍ୟର ଶ୍ରମିକ ଗଞ୍ଜାମ ଜିଲ୍ଲା ସୀମାନ୍ତକୁ ପ୍ରବେଶ କରିବା ମାତ୍ରେ ସେମାନଙ୍କୁ ବସ୍ ଯୋଗେ ଜିଲ୍ଲା ସୀମାନ୍ତ ପାର କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଗତ ଗୁରୁବାର ଦିନ ଠାରୁ ଆରମ୍ଭ କରାଯାଇଥିବା ବେଳେ ଗଞ୍ଜାମ କୋଭିଡ୍ ସେଲ୍ର ନୋଡାଲ ଅଫିସର ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଦିନରେ ଚାଲି ଚାଲି ଆସିଥିବା ଶ୍ରମିକମାନଙ୍କୁ ଆନ୍ଧ୍ରପ୍ରଦେଶ ସୀମାରୁ ଖୋର୍ଦ୍ଧା ସୀମା ପର୍ଯ୍ୟନ୍ତ ଗୋଟିଏ ବସ୍ ଯୋଗେ ପହଞ୍ଚାଇ ଦିଆଯିବା ସହ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏଥିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ସହକାରୀ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା