ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମଧୁ’ ଆପ ପ୍ରସ୍ତୁତ:ଗୁରୁଦିବସରେ ହେବ ଶୁଭାରମ୍ଭ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାର ସବୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢା ନିମନ୍ତେ ପ୍ରସ୍ତୁତ ହୋଇଛି ଏକ ମୋବାଇଲ ଆପ । ଯାହାର ନାମ ରଖାଯାଇଛି ”ମଧୁ” । ଏହି ଆପ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଏହା ପ୍ରଥମ ପର୍ଯ୍ୟାୟରେ ଗଣିତ ଓ ବିଜ୍ଞାନର ୨୫ଟି ଭିଡିଓ ଅପଲୋଡ଼ କରାଯିବ । ଏହି ଆପରୁ ଘରେ ବସି ପଞ୍ଚମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ ଗଣିତ ପାଠ ଜାଣି ପାରିବେ ବୋଲି କୁହାଯାଇଛି । ସୂଚନା ଅନୁଯାୟୀ ୫ମ, ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ ଓ ଗଣିତ ବିଷୟ ମଧୁ ଆପରେ ଅପଲୋଡ଼ କରାଯିବ । ଅଗଷ୍ଟ ମାସରେ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ ବେଳେ ରେକଡିଂ ହୋଇଥିବା ୨୫ ଗୋଟି ଭିଡିଓକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଦେଖି ଭିଡିଓ ଉତ୍ତମ ହୋଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହାସହ ମଧୁ ଆପ ଲୋଗୋକୁ ମଧ୍ୟ ଚୟନ କରିଛନ୍ତି ଜିଲ୍ଲାପାଳ । ଆସନ୍ତା ଗୁରୁ ଦିବସରେ ରେକଡ଼ିଂ ହୋଇଥିବା ଭିଡିଓକୁ ମଧୁ ଆପରେ ଅପଲୋଡ଼ କରାଯିବ । ସେହିପରି ସେପ୍ଟେମ୍ବର ମାସରେ ମଧ୍ୟ ଶିକ୍ଷକଙ୍କ ଶିକ୍ଷାଦାନ ରେକଡ଼ିଂ ଭିଡିଓକୁ ମଧ୍ୟ ଆପରେ ଅପଲୋଡ଼ କରାଯିବ । ଏହି ପ୍ରକ୍ରିୟା ଜିଲ୍ଲାରେ ଲଗାତାର ଚାଲୁ ରହିବ । ଆସନ୍ତା ଦିନରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ବିଷୟର ଜିଲ୍ଲାର ବଛା ବଛା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷାଦାନ ରେକଡ଼ିଂକୁ ମଧ୍ୟ ଏହି ଆପ ଅପଲୋଡ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ବିଦ୍ୟାଳୟ ପରେ ଛାତ୍ରଛାତ୍ରୀମାନେ ମୋବାଇଲ ଫୋନ ଓ ଟେଲିଭିଜନ ପ୍ରତି ଆଗ୍ରହ ଦେଖାଉଥିବାରୁ ଏହି ଆପ ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଡ଼.ସନାତନ ପଣ୍ଡା, ଛତ୍ରପୁର ବିଇଓ ଅବିନାଶ ଶତପଥୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା