ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ରାଜ୍ୟ ସରକାର ଆଜି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀରେ ସାମାନ୍ୟ ଅଦଳବଦଳ କରିଛନ୍ତି। ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ହଟାଇ କଳାହାଣ୍ଡି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। କଳାହାଣ୍ଡି ଦାୟିତ୍ୱରେ ଥିବା ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦେବଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ମନ୍ତ୍ରୀ ସିଂ ଉଭୟ ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ । ଦେବଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏଣିକି କେବଳ କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।ଜିଲ୍ଲାର ଦଳୀୟ ସଂଗଠନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ୧୭ ମନ୍ତ୍ରୀ ଓ ୧୨ଜଣ ବିଧାୟକଙ୍କୁ ଥଇଥାନ କରାଯାଇଥିଲା ବିଜେଡିର ଜିଲ୍ଲା ସାଂଗଠନିକ ନିର୍ବାଚନ ପୂର୍ବରୁ ବଲାଙ୍ଗିର ଜିଲ୍ଲାର ରାଜନୀତିକ ଆବଶ୍ୟକତାକୁ ଅନୁଭବ କରି ସେଠାରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରାଯାଇଛି। ସେହିପରି କଳାହାଣ୍ଡି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ନବ ଦାସଙ୍କୁ ମଧ୍ୟ ଅନୁରୂପ ଭାବେ କଳହାଣ୍ଡି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି।