ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ତଥା ବାଲି ମୋରମ ପ୍ରଭୃତି ଚୋରା ଚାଲାଣ କରୁଥିବା ଗାଡିଗୁଡିକ ଉପରେ ଆଉ ଛୋଟ ଧରଣର କାର୍ଯ୍ୟାନୁଷ୍ଠାନ ନକରି ସିଧା ସେମାନଙ୍କର ରେଜିଷ୍ଟ୍ରେସନ୍ ରଦ୍ଦ କରିବା ଯାହା ଫଳରେ ଉକ୍ତ ଗାଡି କୌଣସି ପରିସ୍ଥିତିରେ ଆଉ ରାସ୍ତାକୁ ବାହାରି ପାରିବ ନାହିଁ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମାଫିଆଙ୍କ ଉପରେ ଲଗାମ କଷିବା ପାଇଁ ଏପରି ଦୃଢ ନିଷ୍ପତ୍ତି ନେବାକୁ ତହସିଲଦାର ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଆଇନ ଅନୁମୋଦିତ ଖଚ୍ଚି ଗୁଡିକର ଲାଇସେନ୍ସ ପ୍ରଦାନରେ ଯେପରି ବିଳମ୍ବ ନ ହୁଏ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜନସାଧାରଣଙ୍କ ସମସ୍ୟା ସେମାନଙ୍କର ହାତ ପାଆନ୍ତାରେ ସମାଧାନ କରିବା ପାଇଁ ଜିଲ୍ଲାର ବିଭିନ୍ନ୍ ଅପହଞ୍ଚ ଇଲାକାରେ ମହା ସମାଧାନ ଶିବିର ଆୟୋଜନ କରାଯିବ । ଜିଲ୍ଲାପାଳ ଏବଂ ବିଭାଗୀୟ କର୍ମଚାରୀ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ମାନଙ୍କର ତଚ୍ଛକ୍ଷଣାତ୍ ସମାଧାନ ପନ୍ଥା ଗ୍ରହଣ କରିବେ । ଜିଲ୍ଲାପାଳ ଜିରୋ ପେଣ୍ଡେନ୍ସି ଅଫ୍ ୱାର୍କ ଘୋଷଣା କରିଥିଲେ । କୌଣସି କର୍ମଚାରୀ ପାଖରେ କୌଣସି ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବ ନାହିଁ । କାମ ପଡି ରହିଲେ କର୍ମଚାରୀଙ୍କ ବିରୁଦ୍ଧରେ ସମୁଚିତ ଦଣ୍ଡ ବିଧାନ କରାଯିବ । କାର୍ଯ୍ୟାଳୟରେ ଅଧିଗ୍ରହଣ ଚିଠି ଗୁଡିକ ରୀତିମତ ରେଜିଷ୍ଟରରେ ଉଲ୍ଲେଖ ରହିବ । ଏଥିରେ ଅବହେଳା କଲେ କର୍ମଚାରୀଙ୍କ ଦରମା ବନ୍ଦ କରାଯିବ । ପତ୍ୟେକ କାର୍ଯ୍ୟର ରୂପାୟନ ସମୟ ଭିତ୍ତିରେ କରାଯିବ । ତହସିଲଦାରମାନେ ଜନସାଧାରଣଙ୍କ ଅଧିକ ସୁବିଧାଭାଜନ ହେବ । ସରକାରୀ ଜମି ଜବରଦଖଲ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ । ଯେଉଁମାନେ ବ୍ୟବସାୟିକ ଉଦ୍ଦେଶ୍ୟରେ ଜମି ଜବରଦଖଲ କରିଛନ୍ତି ସେମାନଙ୍କ ଘରକୁ ତୁରନ୍ତ ଭଙ୍ଗାଯିବ । ଜମିଜମା ଦାଖଲ ଖାରଜ ଏବଂ ରେଜିଷ୍ଟ୍ରେସନ୍ ସମ୍ବନ୍ଧୀୟ ନିୟାମାବଳୀ ଜନସାଧାରଣଙ୍କ ଅବଗତି ନିମନ୍ତେ ପୁସ୍ତକ ଆକାରରେ ପ୍ରକାଶିତ ହୋଇ ଜିଲ୍ଲା ପ୍ରଶାସନ ତରଫରୁ ମାଗଣାରେ ବଣ୍ଟନ କରାଯିବ । ଏହାଦ୍ୱାରା ସାଧାରଣ ଜନତା ଜମିଜମା ବାବଦରେ ମଧ୍ୟସ୍ଥିମାନଙ୍କ ଦ୍ୱାରା ହତାଶ ହେବା ବନ୍ଦ ହୋଇଯିବ । ଜିଲ୍ଲାରେ ପାଣି ପାଉଚ୍ ସଂପୂର୍ଣ୍ଣ ନିଷେଧ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସରକାରୀ କାର୍ଯ୍ୟରେ ପାଣି ପାଉଚ୍ ବ୍ୟବହାର କରାଯିବ ନାହିଁ । ପାଣି ପାଉଚ୍ ପ୍ରସ୍ତୁତ କରୁଥିବା ଫ୍ୟାକ୍ଟ୍ରି ସିଲ୍ କରାଯିବ ଏବଂ ପାଣି ପାଉଚ୍ ପରିବହନ କରୁଥିବା ଗାଡି ଜବତ କରାଯାଇ ଜରିମାନା କରାଯିବ । ପେଟ୍ରୋଲ ପମ୍ପ ମାନଙ୍କରେ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ ନିୟମ କଡାକଡି ହେବ । ନୂତନ ଭାବେ ତିଆରି ହେବାକୁ ଥିବା ଅଙ୍ଗନବାଡି କେନ୍ଦ୍ରଗୁଡିକ ପାଇଁ ନିକଟସ୍ଥ ବିଦ୍ୟାଳୟ ପରିସରରେ ସ୍ଥାନ ନିରୂପଣ କରି ସାତ ଦିନ ମଧୟରେ ସଂପୃକ୍ତ ବିଭାଗକୁ ଜଣାଇବା ପାଇଁ ଜିଲ୍ଲାପାଳ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍, ଜିଲ୍ଲା ରାଜସ୍ୱ ଅଧିକାରୀ ଡ.ଦିବ୍ୟଲୋଚନ ମହନ୍ତ, ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳଙ୍କ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା