ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳର ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଜିଲ୍ଲା ସଂଖ୍ୟାଲଘୁ ସେଲ ଓ ସାଧାରଣ ବର୍ଗର କର୍ମୀମାନଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ତଥା ଢେଙ୍କାନାଳ ନିର୍ବାଚନ ତଦାରଖ ଦାୟିତ୍ୱରେ ଥିବା ଡ଼. ଅଜୟ ପତି ଓ ରାଜ୍ୟ ମହିଳା ଉଇଙ୍ଗ ନେତ୍ରୀ ମିସ ଅନୁପମା ସେଠି ଯୋଗ ଦେଇଥିଲେ । ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ପୌର ନିର୍ବାଚନରେ ଢେଙ୍କାନାଳ ‘ଆପ’ ତରଫରୁ ସମସ୍ତ ୱାର୍ଡ ଦାୟିତ୍ୱ ବଣ୍ଟନ କରାଗଲା । ବିଭିନ୍ନ ୱାର୍ଡରେ କିପରି ସଂଗଠନ ପ୍ରସ୍ତୁତ ହେବ ଏ ବିଷୟରେ ଡ଼. ପତି ସଭ୍ୟମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ । ପୌର ନିର୍ବଚନରେ ୫୦ ଶତକଡା ସିଟ ପାଇଁ ମହିଳାମାନଙ୍କୁ ସୁଯୋଗ ଦିଆଯିବା ଉପରେ ମିସ ଅନୁପମା ସେଠି ଜୋର ଦେଇ ମହିଳାମାନଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଆଶିଷ ମିଶ୍ର ଗତ ନିର୍ବାଚନ ଫଳାଫଳ ଉପରେ ଆଲୋକପାତ କରି ଆଗାମୀ ଦିନରେ କିପରି ସଂଗଠନ ମଜବୁତ କରି ନିର୍ବାଚନରେ ଓହ୍ଲାଇବା ତାହା ଦର୍ଶାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ସେଲ ସଭାନେତ୍ରୀ ମହେରୁନ ନିଶା, କାମାକ୍ଷାନଗର ସଂଯୋଜକ ବିନୟ ସାହୁ, ଶିକ୍ଷକ ନେତା କୁଞ୍ଜବିହାରୀ ଲେଙ୍କା, ବରିଷ୍ଠ ସଦସ୍ୟ ରାଜୀବ କର, ଚକ୍ରଧର ତରାଇ, ସୁଧନ୍ୟ ନାଏକ, ନିତ୍ୟାନନ୍ଦ ପଣ୍ଡା, ପ୍ରଭାତ ବେହେରା, ନିତ୍ୟାନନ୍ଦ ଦାସ, କାମାକ୍ଷା ପ୍ରସାଦ, ଉପେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଶେଷରେ ରାଜ୍ୟ ସଂଖ୍ୟାଲଘୁ ସେଲର ସମ୍ପାଦକ ନୁରୁଲ ଇସଲାମ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ସମାପ୍ତ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି