ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାର ସମସ୍ତ ଅଧିକାରୀ ସେମାନଙ୍କର ଗସ୍ତ କାର୍ଯ୍ୟସୂଚି ଫାଇଭ-ଟି ନୋଡାଲ ଅଫିସରଙ୍କ ନିକଟରେ ୧୫ ଦିନ ବ୍ୟବଧାନରେ ଦାଖଲ କରିବେ । ସେହିପରି କର୍ମଚାରୀ ମାନଙ୍କର ବାୟୋମେଟ୍ରିକ୍ସ ଉପସ୍ଥାନ ଫାଇଭ-ଟି ନୋଡାଲ ଅଫିସରଙ୍କ ନିକଟରେ ଦାଖଲ ହେବ । ବ୍ୟତିକ୍ରମ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିଥିଲେ । ଗଞ୍ଜାମ ଜିଲ୍ଲା ପରିଷଦ ଭବନରେ ଅନୁଷ୍ଠିତ ଫାଇଭ-ଟି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କାର୍ଯ୍ୟାଳୟର ପରିସ୍କାର ପରିଚ୍ଛନତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଯେଉଁ ସବୁ କାର୍ଯ୍ୟାଳୟ ଉପଯୁକ୍ତ ସଫା ସୁତୁରା ରହୁଛି ଅନ୍ୟମାନେ ସେଥିରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ ।ବିଜ୍ଞାପିତ ଅଞ୍ଚଳ ଗୁଡିକରେ ସର୍ବ ସାଧାରଣ ଅଳିଆ ଡବା ଦ୍ୱାରା ପରିବେଶ ଦୂଷିତ ହେଉଥିବାରୁ ଏଗୁଡିକ ପର୍ଯ୍ୟାୟ କ୍ରମେ ଅପସାରଣ କରାଯିବ । ସମସ୍ତ ଅଳିଆ ଗାଡ଼ିରେ ଉଠାଇ ସିଧା ନିରୁପିତ ସ୍ଥାନରେ ଫିଙ୍ଗିବା ପାଇଁ କୁହାଯାଇଛି । ଗ୍ରାମ ପଞ୍ଚାୟତ ଗୁଡିକର ସ୍ୱଚ୍ଛତା ଅନୁଧ୍ୟାନ କରି ସେମାନଙ୍କୁ ପୁରସ୍କୃତ କରାଯିବ । ଏଥିପାଇଁ ୧୬ ଗୋଟି ପଏଣ୍ଟ ଧାର୍ଯ୍ୟ କରାଯାଇଛି । ପ୍ଲାଷ୍ଟିକର ବ୍ୟବହାର ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ନିଃଶେଷ କରାଯାଇଛି । ପ୍ଲାଷ୍ଟିକ ରହିତ ଫୁଲତୋଡ଼ା ବ୍ୟବହାର କରାଯିବ । ବ୍ଲକ ଉନ୍ନୟନ ଅଧିକାରୀମାନେ ପ୍ଲାଷ୍ଟିକ ବର୍ଜନ ଉପରେ ଅଧିକ ଧ୍ୟାନ ଦେବେ । ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନେ ଧାତବ ପାଣି ବୋତଲ ବ୍ୟବହାର କରିବେ । କର୍ମଚାରୀମାନେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସାଧ୍ୟମତେ କିଛି ବୋତଲ ଦାନ କରିବାକୁ କୁହାଯାଇଛି । ସବୁଜ ପରିବେଶ ସୃଷ୍ଟିରେ ସରକାରୀ କର୍ମଚାରୀ ମାନଙ୍କର ବ୍ୟକ୍ତିଗତ ସହଯୋଗ ରହିବ । କର୍ମଚାରୀମାନେ ବ୍ୟକ୍ତିଗତ ଅହଂକାର ମନୋବୃତ୍ତି ପରିତ୍ୟାଗ କରି ଗୋଷ୍ଠିଗତ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି । ସମସ୍ତ ବିଭାଗୀୟ ଅଧିକାରୀମାନେ ବିବିନ୍ନ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଗସ୍ତ ସମୟରେ ପରିଦର୍ଶନ କରିବେ । ଚାଷୀର ଆୟ ଦ୍ବିଗୁଣିତ କରିବା ପାଇଁ ପଞ୍ଚାୟତ ସ୍ତରରେ ଦଶ ଜଣ ବଛାବଛା ଚାଷୀଙ୍କୁ ଆଦର୍ଶ ଚାଷୀ କରାଯିବା ସହିତ ଅନ୍ୟ ଚାଷୀ ମାନଙ୍କୁ ସେହି ଧାରାରେ ଅନୁପ୍ରାଣିତ ହେବା ପାଇଁ ପ୍ରୋତ୍ସାହିତ କରାଯିବ । ସ୍ୱଳ୍ପ ପାଣି ପିଇବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପେଟରୋଗ ସମସ୍ୟା ଦେଖା ଦେଉଥିବାରୁ ଆସନ୍ତା ସୋମବାର ଠାରୁ ବିଦ୍ୟାଳୟ ମାନଙ୍କରେ ପ୍ରତ୍ୟହ ତିନି ପର୍ଯ୍ୟାୟରେ ଘଣ୍ଟି ବଜାଇ ସେମାନଙ୍କୁ ପାଣି ପିଇବା ପ୍ରୋତ୍ସାହିତ କରାଯିବ । ଜିଲ୍ଲାରେ ସମସ୍ତ ପରିବାର ଗୁଡିକର ଡାଟାବେସ କରାଯିବ । ଏଥିରେ ସଦସ୍ୟ ସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ଘରର ରୂପରେଖ, ଜମିବାଡ଼ି ବିବରଣୀ, ବ୍ୟାଙ୍କ ଆକାଉଣ୍ଟ ପ୍ରଭୃତି ତଥ୍ୟ ରହିବ, ଯାହା ଫଳରେ ଯୋଜନା ଗୁଡିକର ମାନଦଣ୍ଡ ପାଇଁ ସେମାନଙ୍କର ଯୋଗ୍ୟତାକୁ ତୁରନ୍ତ ନିର୍ଦ୍ଧାରିତ କରାଯାଇ ପାରିବ । ଖବର କାଗଜ ଗୁଡିକରେ ବାହାରୁଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ କୁହାଯାଇଛି । ଫାଇଭ-ଟି ର କାର୍ଯ୍ୟକାରିତା ଗଞ୍ଜାମ ଜିଲ୍ଲାରେ ଅଧିକ ଦୃଶ୍ୟମାନ ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠି, ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ବୋଲି ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଜଣାଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା