ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଚାଷୀଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର “କାଳିଆ” ଯୋଜନା ଘୋଷଣା କରିଛନ୍ତି । ଏଥିରେ ଚାଷୀମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ରହିଛି ଏବଂ ସବୁ ଶ୍ରେଣୀର ଚାଷୀ ଏଥିରେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଯୁକ୍ତି ରଖିଛନ୍ତି । କିନ୍ତୁ ରାଜ୍ୟର ପ୍ରମୁଖ ଚାଷୀ ସଙ୍ଗଠନ ନବ ନିର୍ମାଣ କୃଷକ ସମିତି ସରକାରଙ୍କ ଏହି ଯୋଜନାକୁ କଡ଼ା ସମାଲୋଚନା କରିଛନ୍ତି । ତତ୍ସଲ୍ୟ କରି ଏହି ଯୋଜନାର ନାଁକୁ “କାଳିଆ” ବଦଳରେ କଳାତ୍ମକ ଯୋଜନା ବୋଲି କହିଛନ୍ତି । ଚାଷ ଓ ଚାଷୀଙ୍କ ପାଇଁ ସରକାରଙ୍କ ‘କାଳିଆ’ ଯୋଜନାରେ ରାଜନୀତିର ଗନ୍ଧ ବାରିଛି ନବନିର୍ମାଣ କୃଷକ ସଙ୍ଗଠନ । ଏହି ଯୋଜନାରେ ବିଜେଡିର ଦଳୀୟ କର୍ମୀମାନେ ଉପକୃତ ହେବାକୁ ଥିବା ବେଳେ ପ୍ରକୃତ ଚାଷୀମାନେ ଲାଭ ପାଇବେ ନାହିଁ ବୋଲି ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଛନ୍ତି ଯେ କାଳିଆ ଯୋଜନା ପାଇଁ ସରକାରଙ୍କର ଟଙ୍କାଟିଏ ଅଧିକ ବ୍ୟୟ କରିବାର ନାହିଁ । ଜୀବିକା ପ୍ରକଳ୍ପ, ନାବାର୍ଡ ଓ ମନରେଗା ଭଳି ଯୋଜନାରେ ଥିବା ଅର୍ଥକୁ କାଳିଆ ଯୋଜନା କରାଯାଇଛି । ପୂର୍ବରୁ ମଧ୍ୟ କୁକୁଡ଼ା, ଛେଳି ପାଳନ ଭଳି ଯୋଜନାରେ ନାବାର୍ଡ ଓ ମନରେଗା ଭଳି ଯୋଜନାରେ ଲୋକଙ୍କ ଅର୍ଥ ଯୋଗାଇ ଦିଆଯାଉଥିଲା । ୨୦୧୭-୧୮ ଆର୍ଥିକ ବର୍ଷରେ ଚାଷୀଙ୍କ ଜୀବିକାର ଉନ୍ନତି ପାଇଁ ନାବାର୍ଡରେ ୨୩୭୭ କୋଟି ଟଙ୍କା ଥିବା ବେଳେ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ଦେଇଥିଲେ । ଅର୍ଥାତ ଏ ବାବଦରେ ୨୮୭୭ କୋଟି ଟଙ୍କା ରହିଥିଲା । ସେହିଭଳି ଗତବର୍ଷ ନାବାର୍ଡ ସମୁଦାୟ ଯୋଜନା ପାଇଁ ୧୭ ହଜାର କୋଟି ଟଙ୍କାର ଯୋଜନା ରଖିଥିବା ବେଳେ ୨୦୧୮-୧୯ ପାଇଁ ୪୦ ହଜାର କୋଟି ଟଙ୍କାର ଯୋଜନା ରଖିଛି । ପୂର୍ବରୁ ଏହିସବୁ ଯୋଜନାରେ ଚାଷୀମାନଙ୍କ ପାଇଁ ଆର୍ଥିକ ସୁବିଧାର ବ୍ୟବସ୍ଥା ଥିଲା । ଯେଉଁ ଚାଷୀମାନେ ଜାଣି ପାରୁଥିଲେ ସେମାନେ ଫାଇଦା ନେଉଥିଲେ । ସରକାର ଏବେ ପୁରୁଣା ବସ୍ତ୍ରରେ ନୂଆ ରଙ୍ଗ ଲଗାଇ ଦେଲା ଭଳି ଯୋଜନା କରିଛନ୍ତି । ଯଦି ଚାଷୀଙ୍କ ଋଣ ଛାଡ଼ କିମ୍ବା ସଙ୍ଗଠନର ଦାବି ଅନୁଯାୟୀ ଚାଷୀ ସୁରକ୍ଷା ଭତା ସରକାର ଦେଇଥାନ୍ତେ ତେବେ ଏଥିପାଇଁ ବଜେଟରେ ବ୍ୟବସ୍ଥା କରିଥାନ୍ତେ । ହେଲେ ତାହା ନ କରି ବିଭିନ୍ନ ଯୋଜନାରୁ ଅର୍ଥ ଆଣି କାଳିଆ ଯୋଜନା ଆରମ୍ଭ କରିଛନ୍ତି । ନବନିର୍ମାଣ କୃଷକ ସଙ୍ଗଠନ ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବି ନେଇ ଯେଉଁ ଆନ୍ଦୋଳନ ଡାକରା ଦେଇଛି ତାହା ଜାରି ରହିବ । ଯେପର୍ଯ୍ୟନ୍ତ ଚାଷୀଙ୍କୁ ସୁରକ୍ଷା ଭତା ମିଳିନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବାର ସମ୍ଭାବନା ନାହିଁ । ଏଥିପାଇଁ ସରକାରଙ୍କୁ ୨୨,୬୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଦାବି ପୂରଣ ଲାଗି ସଙ୍ଗଠନ ପକ୍ଷରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ କଣ୍ଟ ଦିଆଯାଇଥିବା ବେଳେ ଏହାପରେ ଆନ୍ଦୋଳନକୁ ଜୋରଦାର କରାଯିବ ଏବଂ ଧାନ କଟା ପରେ ଲକ୍ଷ ଲକ୍ଷ ଚାଷୀ ଆସି ରାଜରାସ୍ତାରେ ପହଞ୍ଚିବେ ବୋଲି ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର