ଜ୍ଞାନ ଆଧାରିତ ସମାଜ ଗଢିବାକୁ ହେଲେ ଜ୍ଞାନୀଗୁଣୀମାନଙ୍କୁ ଏକପ୍ରାଣ ଏକମନ ହୋଇ କାର୍ଯ୍ୟ କରିବାକୁ ପଡିବ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଉନବିଂଶ ଶତାବ୍ଦୀରେ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ଲୋକସଭା ସଦସ୍ୟ ଶ୍ରୀ ଭତ୍ତୃହରି ମହତାବ, ବିଧାୟକ ଶ୍ରୀ ବାବୁ ସିଂ, ପ୍ରଥିତଯଶା ସାହିତ୍ୟିକ ଏବଂ ପ୍ରାବନ୍ଧିକ ପ୍ରଫେସର ଦାଶରଥି ଦାସ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର ଶ୍ରୀ ଦିପ୍ତୀରଂଜନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଏବଂ ଅନ୍ୟ ଅତିଥିମାନଙ୍କ ଦ୍ୱାରା ଓଡିଶା ରାଜ୍ୟ ସଂଗ୍ରହାଳୟ ଠାରେ ଆଜି ସନ୍ଧ୍ୟାରେ ଉନ୍ମୋଚିତ ହୋଇଛି . ଏହି ଅନୁବାଦର ଉଚ୍ଚ ପ୍ରଶଂସା କରିବା ସହ ରାଜ୍ୟ ସଂଗ୍ରହାଳୟ ଓଡ଼ିଆ ଜାତିର ଅସ୍ମିତାର ମୂର୍ତ୍ତିମନ୍ତ ପ୍ରତୀକ ବୋଲି ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ . ଭାଷା ଭିତ୍ତିରେ ଗଠିତ ହୋଇଥିବା ଓଡିଶା ପ୍ରଦେଶ ଆଉ ୧୨ ବର୍ଷପରେ ୧୦୦ ବର୍ଷରେ ପଦାର୍ପଣ କରିବ..ତେଣୁ ଆସନ୍ତା ୧୨ ବର୍ଷ ଓଡ଼ିଆ ଜାତିପାଇଁ ବିଶେଷ ଗୁରୁତ୍ୱପୂର୍ଣ..ଅନ୍ୟପ୍ରାନ୍ତରର ଲୋକ ମାନଙ୍କୁ ତିରସ୍କାର କରି କୌଣସି ଜାତି ନିଜର ପରିଚୟ ସୃଷ୍ଟି କରିପାରେନା..ନିଜର କଠିନ ପରିଶ୍ରମ ଓ ସ୍ୱତନ୍ତ୍ରତାକୁ ପାଥେୟ କରି ଗୋଟିଏ ଜାତି ନିଜ ପରିଚୟ ସମୁଜ୍ଜ୍ଵଳ କରିପାରେ . କଳା, ସାହିତ୍ୟ, ସଂସ୍କୃତି ଓ ପ୍ରାକୃତିକ ବିଭାବରେ ପରିପୂର୍ଣ୍ଣ ଓଡିଶା..ତାସହ ରାଜ୍ୟ ସଂଗ୍ରହାଳୟରେ ଶତସହସ୍ର ମୂଲ୍ୟବାନ ପ୍ରାଚୀନ ତାଳପତ୍ର ପୋଥି ଅଛି ..ତା ଉପରେ ଅଧିକରୁ ଅଧିକ ଅଧ୍ୟୟନ ଓ ଗବେଷଣା ହୋଇପାରିଲେ ଓଡିଶା ବିଶ୍ଵଦରବାରରେ ଏକ ଜ୍ଞାନର ଭଣ୍ଡାର ଭାବେ ପରିଗଣିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ ..ନିଜ ସ୍ଵକୀୟ ଭାଷାରେ ଯେ କୌଣସି ବିଷୟକୁ ଅଧ୍ୟୟନକଲେ ଛାତ୍ରଟି ପାଠଟିକୁ ନିର୍ଭୁଲ ଭାବରେ ବୁଝିପାରେ ଏବଂ ତାର ସର୍ବତ୍କୃଷ୍ଟ ବୌଦ୍ଧିକ ବିକାଶ ହାଇଥାଏ ଯାହାଦ୍ୱାରା ଛାତ୍ରଟି ମଧ୍ୟରେ ଆତ୍ମବିଶ୍ୱାସ ପରିପ୍ରକାଶ ପାଇ ସମାଜରେ କିଛି ନୂତନତ୍ୱ ଆଣିବା ପାଇଁ ପ୍ରେରିତ ହାଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ . ଏକ ଜ୍ଞାନ ଆଧାରିତ ସମାଜ ଗଢିବାକୁ ହେଲେ ଓଡ଼ିଶାର ଜ୍ଞାନୀଗୁଣୀ, ବୁଦ୍ଧିଜୀବୀମାନଙ୍କୁ ଏକପ୍ରାଣ ଏକମନ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଥିଲେ .କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ . ପୂର୍ବରୁ ଓଡ଼ିଆ ସାହିତ୍ୟାନୁରାଗୀମାନେ ପାଶ୍ଚାତ୍ୟ ସାହିତ୍ୟ ସୃଜନର ଅନୁବାଦ କରୁଥିଲେ ..କିନ୍ତୁ ଏବେ ସେ କଥାରେ ପରିବର୍ତ୍ତନ ପରିଲିକ୍ଷିତ ହେଲାଣି ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର ଶ୍ରୀ ଦିପ୍ତୀରଂଜନ ପଟ୍ଟନାୟକଙ୍କ ସହଯୋଗରେ ବିଶିଷ୍ଟ ଲେଖକ ଡେଭିଡ ଡେନିନଙ୍କ ଏହି ଇଂରାଜୀ ଅନୁବାଦ ପୁସ୍ତକ ..ଏହି ପୁସ୍ତକ ମାଧ୍ୟମରେ ଅନ୍ୟଦେଶର ସାହିତ୍ୟ ଓ ସଂଗୀତ ଅନୁରାଗୀମାନେ ଓଡ଼ିଆ କାବ୍ୟ କୃତିର ଲାଳିତ୍ୟ ଓ ମାଧୁର୍ଯ୍ୟକୁ ଅନୁଭବ କରିବେ ..ଏଭଳି ପ୍ରୟାସ ଦ୍ୱାରା ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ହୋଇପାରିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଶାବ୍ୟକ୍ତ କରିଥିଲେ.ରାଜ୍ୟ ସଂଗ୍ରହାଳୟରେ ଥିବା ମୂଲ୍ୟବାନ ତାଳପତ୍ର ପୋଥିର ସଠିକ ଭାବରେ ଅନୁବାଦ ଓ ପ୍ରକାଶନ ଉପରେ ଲୋକସଭା ସଦସ୍ୟ ଶ୍ରୀ ଭତ୍ତୃହରି ମହତାବ ଗୁରୁତ୍ୱାରୋପ କରିବା ସହ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପାଶ୍ଚାତ୍ୟ ଦେଶର ସାହିତ୍ୟାନୁରାଗୀଙ୍କ ଦ୍ୱାରା ବିଶେଷଭାବରେ ଗୃହୀତ ହେବ ବୋଲି ସେ ଆଶାପୋଷଣ କରିଥିଲେ . ପ୍ରଥିତଯଶା ସାହିତ୍ୟିକ ଏବଂ ପ୍ରାବନ୍ଧିକ ପ୍ରଫେସର ଦାଶରଥି ଦାସ ଏହି ଅନୁବାଦ ପୁସ୍ତକର ସମୀକ୍ଷା କରିଥିବା ବେଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର ଶ୍ରୀ ଦିପ୍ତୀରଂଜନ ପଟ୍ଟନାୟକ ସ୍ୱାଗତ ଭାଷଣରେ ଓଡ଼ିଆ ସାହିତ୍ୟର ସାମ୍ପ୍ରତିକ ସ୍ଥିତି-ଅବସ୍ଥିତି ଓ ଲେଖକଙ୍କର ଗବେଷଣା ଓ ଅନୁବାଦ ସମୟର କଷ୍ଟର ଅଙ୍ଗେନିଭା ଅନୁଭୂତି ବିଷଦ ଭାବରେ ବ୍ୟାଖ୍ୟା କରିଥିଲେ .ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁସ୍ତକର ପ୍ରକାଶକ ଧନ୍ୟବାଦ ଅର୍ପଣ କରିଥିଲେ ..ଓଡିଶା ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ. ମାନ୍ୟଗଣ୍ୟବ୍ୟକ୍ତିଙ୍କ ମଧ୍ୟରେ ବିଶିଷ୍ଟ ଭାଷାବିତ ଡ଼ ଦେବୀ ପ୍ରସନ୍ନ ପଟ୍ଟନାୟକ, ଶ୍ରୀ ଦାସ ବେନୁହୁର, ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ପ୍ରଫେସର ଗୌରାଙ୍ଗ ଚରଣ ଦାଶ, ପ୍ରଫେସର ପ୍ରଦୀପ୍ତ ପଣ୍ଡା, ପ୍ରଫେସର ଯତୀନ ନାୟକ, ପ୍ରଫେସର ନଟବର ଶତପଥି, ଶ୍ରୀ ରାମହରି ଜେନା, ଶ୍ରୀ ସଂଗ୍ରାମ ଜେନା, ନିବେଦିତା ମହାନ୍ତି, ପ୍ରଫେସର ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ.

ରିପୋର୍ଟ : ସୌରଭ ପ୍ରଧାନ, ସୂଚନା ଅଧିକାରୀ