ଛତ୍ରପୁର (ସମୃଦ୍ଧ ଓଡିଶା) ବିଲ ମଧ୍ୟରେ ଦିନ କାଟୁଥିବା ୧୨ଅସହାୟ ପରିବାରଙ୍କୁ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ତରଫରୁ ସହାୟତା ପ୍ରଦାନ କରାଯାଇଛି । “ଲକ୍ ଡାଉନ୍ ଛଡାଇ ନେଇଛି ବହୁ ଯାଯାବରଙ୍କ ଜୀବନଜୀବିକା” ଭୋକ ଉପସାରେ ବିତୁଛି ଜୀବନ । କାମ ଆଶାରେ ଯାଯାବର ମାନେ ଗଞ୍ଜାମ ଜିଲାକୁ ଆସିଥିଲେ । ଏବେ ସେମାନେ ନିରୁପାୟ । ନା’ ଘର ଖଣ୍ଡିଏ ଅଛି ନା ବଞ୍ଚିବା ପାଇଁ ସାହାରା ଅଛି । ପ୍ରତ୍ୟେକ ଦିନ ତାଙ୍କର ସଂଘର୍ଷରେ ବିତୁଛି । ଛତିଶଗଡ ରାଜ୍ୟରୁ ୧୨ଟି ପରିବାର କିଛି କାମ ଆଶାରେ ଗଞ୍ଜାମ ଜିଲାକୁ ଆସିଥିଲେ । ତେବେ ସେମାନେ ଜାଣି ନ ଥିଲେ କି ଲକଡାଉନରେ ସେମାନେ ଏଭଳି ଫସି ଯିବେ । ନା କିଛି କାମ ମିଳୁଛି ନା ସେମାନେ କେଉଁଆଡ଼େ ଯାଇ ପାରୁଛନ୍ତି । ୧୨ଟି ପରିବାରର ପିଲା ଛୁଆଙ୍କୁ ମିଶାଇ ୬୪ ଜଣ ଏବେ ବିଲ ମଧ୍ୟରେ ଦିନ କାଟୁଛନ୍ତି । ଛତ୍ରପୁର ବ୍ଲକ୍ ଲକ୍ଷ୍ମୀପୁର ପଞ୍ଚାୟତ ଗୋବିନ୍ଦପୁର ବିଲ ମଝିରେ ଛୋଟ ଛୋଟ ୧୨ଟି କୁଡିଆ କରି ସେମାନେ ରହୁଛନ୍ତି । କୁଡିଆର ଅବସ୍ଥା ନ କହିଲେ ସରେ । ବର୍ଷା ହେଲେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି । କରୋନ ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଲଗାତର ଦୁଇ ଦୁଇ ଥର ଲକଡାଉନ ଅବଧି ବୃଦ୍ଧି ପାଇବାରୁ ତାହାର ଗୁରୁୁତର ପ୍ରଭାବ ଏହି ଯାଯାବରଙ୍କ ଉପରେ ପଡିଛି । ଲକଡାଉନ ସମୟରେ କେହି ଯେପରି ଭୋକିଲା ନ ରହିବେ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । କିନ୍ତୁ ଏମାନଙ୍କ ପାଖରେ ଏହି ଯାଯାବରଙ୍କ ପାଖରେ ଏହି ସବୁ ସୁବିଧା ଅପହଞ୍ଚ ପାଲଟିଛି । ଭଗବାନଙ୍କ ଭରସାରେ କୁଡିଆ ତଳେ ସେମାନଙ୍କ ଜୀବନ ବିତୁଛି । ସେମାନଙ୍କ ସହିତ ଛୋଟ ଛୋଟ ଶିଶୁ ମଧ୍ୟ କୁଡ଼ିଆରେ ରହୁଛନ୍ତି । ଏପରିକି ସେଠାରେ ଏକ ଶିଶୁ ମଧ୍ୟ ଜନ୍ମ ନେଇଛି । ପାଖରେ ଟଙ୍କା ନ ଥିବାରୁ ଶିଶୁର ଠିକ୍ ଭାବେ ଲାଳନ ପାଳନ ହୋଇ ପାରୁନାହିଁ । ଲକଡାଉନ ସରିବା ପରେ ସେମାନେ ଘର ବାହୁଡା ହୋଇ ଜୀବିକା ଯନ୍ତ୍ରଣାରୁ କେବେ ମୁକୁୁଳିବେ ତାହାକୁ ସେମାନେ ଚାହିଁ ବସିଛନ୍ତି । ଏଥି ମଧ୍ୟରେ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ତରଫରୁ ସେମାନଙ୍କୁ ୧୫ ଦିନର ଶୁଖିଲା ଖାଦ୍ୟ ସାମଗ୍ରୀ ଯଥା :- ଡାଲି, ଚାଉଳ, ଚୁଡା, ଚିନି, ଅଟା, ତେଲ ପେକେଟ୍, ଆଳୁ, ପିଆଜ, ମଶା ଧୂପ, ବିସ୍କେଟ୍, ସାବୁନ୍ ଏବଂ ବିଭିନ୍ନ ପ୍ରକାରର ରାସନ ସାମଗ୍ରୀ ଦିଆଯାଇଛି । ଗ୍ରୁପ୍ ପ୍ରତିଷ୍ଠାତା ଶିବ ଶଙ୍କର ଦାଶ୍, ସଭାନେତ୍ରୀ ରଞ୍ଜନା ମିଶ୍ର, ପ୍ରୀତିମୟୀ ମଲ୍ଲିକ, ସୌମ୍ୟରଞ୍ଜନ ମହାପାତ୍ର, ପ୍ରଣବ କୁମାର ପଣ୍ଡା, ମନୋଜ ଦାଶ୍, ଅଞ୍ଜଳି ମହାନ୍ତି, ପବିତ୍ର କୁମାର ଦାଶ୍, ସୁଧାଂଶୁ ଶେଖର ଦିଗାଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା