ଜୱାଦ ପରେ ବର୍ଷା ଯୋଗୁଁ ବିଲରେ ଥିବା ଧାନରୁ ବାହାରିଲା ଗଜା, ୪ହଜାର ହେକ୍ଟର ଜମିର କ୍ଷୟକ୍ଷତି : ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ରାଜପୁରବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜୱାଦ ଅପସରି ଯାଇଥିଲେ ମଧ୍ୟ ଚାଷୀଙ୍କ ଦୁର୍ଦ୍ଦଶା କମିନାହିଁ । ଏବେ ବର୍ଷା ବିତ୍ପାତ ଲାଗି ରହିଥିବାରୁ ବାଲେଶ୍ୱର ଜିଲାର ଜଳେଶ୍ୱର ଅଂଚଳ ଚାଷୀଙ୍କ ପକ୍ଷେ ପାଣିରେ ବୁଡି ରହିଥିବା ଧାନକୁ ଅମଳ କରିବା ସମ୍ଭବ ହୋଇ ପାରୁନାହିଁ । ଧାନରୁ ଗଜା ବାହାରିଥିବାରୁ ଚାଷୀମାନଙ୍କୁ ସହାୟତା ଦାବିରେ ରାଜପୁର ବାସୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଖରିଫ ଧାନ ଅମଳବେଳେ ଅଚାନକ ବାତ୍ୟା ଜୱାଦ ଚାଷୀମାନଙ୍କ ମେରୁଦଣ୍ଡ ଭାଂଗି ଦେଇଛି । କୃଷିବିଭାଗର ବାରମ୍ବାର ସତର୍କତା ପରେ ମଧ୍ୟ ଚାଷୀ ତାର ସମସ୍ତ ଚାଷକୁ ଅମଳ କରିପାରି ନ ଥିଲା । କୃଷିବିଭାଗର ଆକଳନ ଅନୁଯାୟୀ ପ୍ରାୟ ୪ ହଜାର ହେକ୍ଟର ଜମିର ଧାନ ଅମଳ ହୋଇ ପାରିନଥିଲା । ଏହି ଧାନ ଗୁଡିକ ଜୱାଦ ବର୍ଷାପାଣିରେ ବୁଡି ରହିଥିଲା । ଜମିରୁ ପାଣି ନିଷ୍କାସିତ ହୋଇ ପାରିନଥିବା ବେଳେ ଏବେ ପୁଣି ବର୍ଷା ଲାଗି ରହିଥିବାରୁ ବିଲରେ ଥିବା ଧାନ ଗୁଡିକରୁ ଗଜା ବାହାରିଲାଣି । ସେହି ଧାନଗୁଡିକୁ ଅମଳ କରିବା ସମ୍ଭବ ହୋଇ ପାରୁନଥିବାରୁ ସେମାନଙ୍କୁ ସହାୟତା କରିବାଲାଗି ସମାଜସେବୀ କରୁଣାକର ଭୂୟାଁଙ୍କ ନେତୃତ୍ୱରେ ବାବାଜୀ ପ୍ରଧାନ, କୁଟୁରା ସିଟ୍‌, ପ୍ରଭାସ ଜେନା, ମନୁ ପ୍ରଧାନ, ଅତୁଲ ସାହୁ ପ୍ରମୁଖ ଏକ ଦାବିପତ୍ରରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା