ଝଟକିବ ରୁର୍ବାନ ଯୋଜନାରେ ରାଇବଣିଆ ଅଞ୍ଚଳ ରାସ୍ତାଘାଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକଦା ଆଦିବାସୀ ଅଧୁସୀତ ଓ ବିଛିନ୍ନାଞ୍ଚଳ ଭାବେ ପରିଚିତ ରାଇବଣିଆ ଅଞ୍ଚଳର ଗଳିକନ୍ଧିରେ ଜଳିବ ଆଲୋକ । ଏଥିଲାଗି ରୁର୍ବାନ ଯୋଜନାରେ ୧କୋଟି ୭୧ଲକ୍ଷ ୫୦ହଜାର ଟଙ୍କା ମଞ୍ଜୁର ହୋଇଛି । ସେଥିରେ ୩୦ଟି ହାଇମାକ୍ସ ଲାଇଟ୍ ଓ ୫୦୫ଟି ସାଧାରଣ ସୋଲାର ଲାଇଟ୍ ଜଳିବାର ବ୍ୟବସ୍ଥା ହୋଇଥିବା ଜଣାଯିବାପରେ ଆଦିବାସୀ ଅଞ୍ଚଳରେ ଆନନ୍ଦ ଖେଳି ଯାଇଛି । ୨୦୧୪ ନିର୍ବାଚନ ପରେ ତତ୍‌କାଳିନ ସାଂସଦ ଇଂ ରବିନ୍ଦ୍ର ଜେନା ରାଇବଣିଆର ବିକାଶ ଲାଗି କାଳିକ ପଞ୍ଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ବିକାଶର ବିଜ ବପନ କରିଥିଲେ । ପରବର୍ତ୍ତୀ ସମୟରେ ସାଂସଦ ଓ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ସହାୟତାରେ ବାଲେଶ୍ୱର ଜିଲାର ଏକମାତ୍ର ବ୍ଲକ ଜଳେଶ୍ୱରର ରାଇବଣିଆ ଅଞ୍ଚଳର ୧୧ଟି ପଞ୍ଚାୟତରେ ୧୦୮ କୋଟି ଟଙ୍କା ବ୍ୟୟ ବରାଦରେ ଏବଂ ୫ବର୍ଷ ମଧ୍ୟରେ ଖର୍ଚ୍ଚ ହେବାର ଅଟକଳ ହୋଇଛି । ଏହି ଅର୍ଥରୁ ୨୦୧୯-୨୦ ଓ ୨୦-୨୧ରେ ସୋଲାର ଲାଇଟ୍ ଯୋଗେ ରାସ୍ତାଘାଟରେ ଆଲୁଅ ଯୋଗାଇ ସହରାଞ୍ଚଳ ଭଳି ହେବାର ନିଷ୍ପତ୍ତି ହୋଇଛି । ସୂଚନା ଅନୁଯାୟୀ ଓଲମରା ପଞ୍ଚାୟତରେ ୨ଟି, କାଳୀକ ପଞ୍ଚାୟତରେ ୩ଟି, ରାଇବଣିଆ ପଞ୍ଚାୟତରେ ୩ଟି, ଶ୍ୟାମନଗର ପଞ୍ଚାୟତରେ ୨ଟି, ଖୁଦିଆମାଝି ସାହି ପଞ୍ଚାୟତରେ ୩ଟି, ବରଡିଆରେ ୩ଟି, ଚମାରଗାଁରେ ୩ଟି, ସର୍ଦ୍ଦାରବନ୍ଧରେ ୩ଟି, ଖୁଆଡରେ ୬ଟି ଓ ମାକିଡିଆରେ ୨ଟି ଏପରି ମୋଟ ୩୦ଟି ହାଇମାକ୍ସ ସୋଲର ଲାଇଟ୍‌ର ବ୍ୟବସ୍ଥା ହୋଇଛି । ସେହିପରି ସର୍ଦ୍ଦାବନ୍ଧ ପଞ୍ଚାୟତରେ ୫୧ଟି, ଓଲମରା ପଞ୍ଚାୟତରେ ୫୨ଟି, କାଳିକରେ ୪୨ଟି, ରାଇବଣିଆରେ ୬୧ଟି, ଶ୍ୟାମନଗରରେ ୬୧ଟି, ଖୁଆମାଝି ସାହିରେ ୪୧, ବରଡିହାରେ ୫୧ଟି ଓ ଚମାର ଗାଁରେ ୪୧ଟି ସାଧାରଣ ସୋଲର ଲାଇଟ୍‌ର ବ୍ୟବସ୍ଥା ହୋଇଛି । ଦ୍ୱିତୀୟ କିସ୍ତିରେ କଳମା ପଞ୍ଚାୟତରେ ୩୦ଟି, ମାକିଡିଆ ପଞ୍ଚାୟତରେ ୩୦ଟି, ଖୁଆଡ ପଞ୍ଚାୟତରେ ୩୦ଟି, ରାଇବଣିଆରେ ୧୦ଟି ଓ ରାଇବଣିଆ ଦୁର୍ଗର ଗଡଚଣ୍ଡି ନିକଟରେ ୬ଟି ହାଇମାକ୍ସ ଲାଇଟ୍ ସ୍ଥାପନ ପାଇଁ କାର୍ଯ୍ୟାଦେଶ ହୋଇଛି । ଗତ ବିଧାନସଭାରେ ୨୫ ତାରିଖ ଦିନ ବିଧାୟକ ଶ୍ରୀ ପାତ୍ରଙ୍କର ପ୍ରଶ୍ନ ସଂଖ୍ୟା ୧୨୩୬ ଅନୁଯାୟୀ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଏ ସଂପର୍କରେ ସ୍ପଷ୍ଟ କରିଛନ୍ତି । ଅତିଶୀଘ୍ର ଏ ପ୍ରକଳ୍ପର କାର୍ଯ୍ୟ ଶେଷ ହେବା ସଂପର୍କରେ ବିଧାୟକ ଶ୍ରୀ ପାତ୍ର ରାଇବଣିଆ ଅଞ୍ଚଳର ନିର୍ବାଚିତ ପ୍ରତିନିଧିମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା