ଝାଡେଶ୍ୱରପୁର ବସ୍ତିରେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଚଢାଉ…

ଜଳେଶ୍ୱର(ସମୃଦ୍ଧ ଓଡିଶା )ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟିର ଅଧୀନସ୍ଥ ୧ନଂ ୱାର୍ଡରେ ଥିବା ଝାଡେଶ୍ୱରପୁର ବସ୍ତିରେ କଟକସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଚଢାଉ ସମସ୍ତଙ୍କୁ ଚକିଚ କରିଛି । ସୂଚନାଯୋଗ୍ୟ ଆଜି ସକାଳେ ପ୍ରାୟ ୬.୩୦ମି. ସମୟରେ ୨ଟି ବଲେରୋ ଗାଡିରେ ୩ଜଣ ମହିଳା ଅଫିସର ସମେତ ମୋଟ ୧୫ ଜଣ ଅବକାରୀ ଅଧିକାରୀ ଓ କର୍ମଚାରୀମାନେ ଉକ୍ତ ବସ୍ତିର ଫୁଲସନ ବିବି (ଚାଚି)ର ଘର ଉପରେ ଛାପା ମାରିଥିଲେ । ଉକ୍ତ ଗୃହଟି ବଡ ଅଟ୍ଟାଳିକ ହୋଇଥିବାରୁ ପ୍ରତ୍ୟେକ କୋଠରୀକୁ ତନଖି କରିବା ପାଇଁ ପ୍ରାୟ ପ୍ରାୟ ୨ଘଣ୍ଟା ସମୟ ଲାଗିଥିଲା । ତନଖି ସମୟରେ ସେମାନେ ପ୍ରାୟ ୨୦୦ ଗ୍ରାମର ୨ଟି ବ୍ରାଉନସୁଗର ପ୍ୟାକେଟ୍ ରୋଷେଇ ଘରୁ ପାଇଥିବା ଇନିସ୍ପେକ୍ଟର ଜଗଦିଶ ସାମଲ ପ୍ରକାଶ କରିଛନ୍ତି । ଉକ୍ତ ଚଡାଉ କାର୍ଯ୍ୟ ସମୟରେ ଫୁଲସନ ବିବି (ଚାଚି)ର ପୁଅମାନେ ପାଖପଡିଶାଙ୍କୁ ଜଣାଇଦେବାପରେ ସଂଘବଦ୍ଧ ଭାବେ ସାହି ବାସନ୍ଦାମାନେ ଅବକାରୀ ଅଫିସରମାନଙ୍କୁ ଘେରିଯାଇ ଅଟକ ରଖିବା ସହିତ ତାଙ୍କ ନିକଟରୁ ମିଳିଥିବା ବ୍ରାଉନସୁଗରକୁ ଛଡାଇ ନେଇଥିଲେ । ମାତ୍ର ଅଫିସରମାନେ ଅନ୍ୟଉପାୟ ନ ପାଇ ସ୍ଥାନୀୟ ଥାନାକୁ ଜଣାଇବା ପୁଲିସ୍ ସହାୟତାରେ ସେଠାରୁ ଅଫିସରମାନେ ମୁକୁଳିଥିଲେ । ସାରା ରାଜ୍ୟକୁ ଜଳେଶ୍ୱର ଅଂଚଳରୁ ବ୍ରାଉନ୍ ସୁଗର ଚୋରା ଚାଲାଣ ହେଉଥିବାର ଖବର ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ଦୃଷ୍ଟିରୁ ଏବେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ତତ୍ପର ହୋଇଥିବା ଜଣା ଯାଇଛି । ଅବକାରୀ କମିଶନର ଦେବେନ୍ଦ୍ର ମହାପାତ୍ର ଓ ଡେପୁଟି କମିଶନର ରାମଚନ୍ଦ୍ର ପାଲଟାଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରୀୟ ଅବକାରୀ ବିଭାଗର ଇନିସ୍ ପେକ୍ଟର ଜଗଦୀଶ ସାମଲ ଓ ଅବକାରୀ ଅଫିସରମାନଙ୍କୁ ନେଇ ଆଜି ସକଳେ ଉକ୍ତ ଚଢାଉ କାର୍ଯ୍ୟ କରିଥିଲେ । ମାତ୍ର ସ୍ଥାନୀୟ ଅବକାରୀ ବିଭାଗ ଓ ଜିଲା ଅବକାରୀ ବିଭାଗ ଏ ସମସ୍ତ ଘଟଣା ପ୍ରତି ଦୃଷ୍ଟି ଦେଉନଥିବାରୁ ଏ ଅଂଚଳରେ ନିଷା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାଯାଇଛି । ତେଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଅଧିକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ :ଭୂପତି କୁମାର ପରିଡା