ଛତ୍ରପୁର (ସମୃଦ୍ଧ ଓଡିଶା) ଟାଟାକର୍ତ୍ତୃପକ୍ଷ, ଜିଲ୍ଲାପ୍ରଶାସନ, ପୋଲିସ ପ୍ରସାଶନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତ୍ରିପାକ୍ଷୀକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଦେଖାଦେଇଛି । କମ୍ପାନୀରେ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଜମି ହରାଇଥିବା ବିସ୍ଥାପିତମାନେ କମ୍ପାନୀରେ କାମ ବନ୍ଦ କରି ଗୁରୁବାର ଦିନ ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କମ୍ପାନୀ ପକ୍ଷରୁ ସେମାନଙ୍କୁ ଦାର୍ଘ ଦିନହେଲା ସ୍ଥାୟୀ ନିଯୁକ୍ତି ବିଷୟକୁ କୌଣସି କର୍ଣ୍ଣପାତ କରୁ ନ ଥିବା ଯୋଗୁଁ ଗୁରୁବାର ରାତିରୁ ଶ୍ରମିକମାନେ ଟାଟା ପ୍ରକଳ୍ପରେ କାମ ବନ୍ଦ କରିବା ସହ କମ୍ପାନୀରେ ବିଭିନ୍ନ ସାମଗ୍ରୀ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡିଛି । ଏନେଇ କମ୍ପାନୀ ପକ୍ଷରୁ ଚମାଖଣ୍ଡି ଥାନାରେ ଅଭିଯୋଗ ହୋଇଛି । ଚମାଖଣ୍ଡି ଥାନା ପକ୍ଷରୁ ୭୩/୨୦୧୯ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି । ଏନେଇ ଶୁକ୍ରବାର ଦିନ ଏସିଡିପିଓ ଉତ୍କଳ କେଶରୀ ଦାଶଙ୍କ ନେତୃତ୍ୱରେ ତହସିଲଦାର ନୀଳମାଧବ ଭୋଇ, ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ, ଚମାଖଣ୍ଡି ଥାନା ଅଧିକାରୀ ସହଦେବ ମହାପାତ୍ର ଏବଂ କମ୍ପାନୀ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଗତକାଲି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଟାଟା କଂପାନୀ, ଆନ୍ଦୋଳନାକରୀ ଏବଂ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ମଧ୍ୟରେ ଏକ ତ୍ରିପାକ୍ଷୀକ ଆଲୋଚନା ବୈଠକ ଅନୁଷ୍ଠିତ କରାଯାଇଥିଲା । ଏହି ଆଲୋଚନା ବୈଠକରେ ଆନ୍ଦୋଳନକାରୀମାନେ କହିଥିଲେ ଯେ ଟାଟା କମ୍ପାନୀ ପାଇଁ ଜମି ହରାଇଥିବା ବିସ୍ଥାପିତମାନଙ୍କୁ ସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ଏକ ଠିକା କମ୍ପାନୀ ଦ୍ୱାରା ନିୟୋଜିତ କରାଯାଇଛି । ଏହି ବିଷୟକୁ ବହୁବାର କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସେମାନଙ୍କୁ ଟାଟା କମ୍ପାନୀରେ ସ୍ଥାୟୀ ନିଯୁକ୍ତି କରିବା ପାଇଁ ବାରମ୍ବାର ଦାବି କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ବିଷୟକୁ କର୍ଣ୍ଣପାତ କରୁନଥିବାରୁ ବାଧ୍ୟ ହୋଇ ଶ୍ରମିକମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାସହ ସେମାନଙ୍କ ବିଭିନ୍ନ ସମସ୍ୟା ଏବଂ ଦାବୀ ଉପରେ ଉପଜିଲ୍ଲାପଳ ଶ୍ରୀ ପୃଷ୍ଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଆଲୋଚନା ବୈଠକ ଦୀର୍ଘ ୩ଘଣ୍ଟା ଧରି ଚାଲିଥିଲ। । ଏହି ବୈଠକରେ ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାସ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଚମାଖଣ୍ଡି ଥାନା ଅଧିକାରୀ ସହଦେବ ମହାପାତ୍ର, ଟାଟା କଂପାନୀ ର କିଛି ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଜିଲ୍ଲାପ୍ରଶାନ ପକ୍ଷରୁ କୁହାଯାଇଥିଲ। । ଯେ ବର୍ତ୍ତମାନ ଯେଉଁ ଶ୍ରମିକ ମାନେ ଯେଉଁ କାର୍ଯ୍ୟରେ ନିୟୋଜିତ ରହି କାର୍ଯ୍ୟକରୁଥିଲେ ସେମାନେ ସେହି କାର୍ଯ୍ୟ କରନ୍ତୁ । ଏକ ମାସ ପରେ ଏକ ଉଚ୍ଚସ୍ତରୀୟ ତ୍ରିପାକ୍ଷୀକ ବୈଠକ ପୁଣି ଅନୁଷ୍ଠିତ ହେବ । କଂପାନୀର ଯେଉଁ ସାମଗ୍ରୀ ଭଙ୍ଗାରୁଜା ହୋଇ ନଷ୍ଟ ହୋଇଛି ତାହାକୁ ଟାଟାର ଏକ୍ସପାର୍ଟ ଟିମ୍ ଆସି ଆକଳନ କରିବ ବୋଲି ଆନ୍ଦୋଳନକାରୀ ମାନଙ୍କୁ କହିଥିଲେ । ଏହି ବୈଠକରେ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ଅଂଶ ଗ୍ରହଣ କରିଥିବା ଶ୍ରମିକମାନେ ଆମେ ଆମର ଆଉ ରହିଥିବା ଶ୍ରମିକମାନଙ୍କ ସହ ଆଲୋଚନା କରି ଜଣାଇବୁ ବୋଲି କହି ଆନ୍ଦୋଳନ ସ୍ଥଳକୁ ଚାଲିଯାଇଥିଲେ । ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନର ଏକ ପ୍ରତିନିଧୀ ସେମାନଙ୍କୁ ପୁଣି ବୁଝାସୁଝା କରିବା ନିମନ୍ତେ ଶ୍ରମିକମାନଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା