ବିଜୟୱାଡ଼ା (ସମୃଦ୍ଧ ଓଡିଶା) ଆନ୍ଧ୍ରପ୍ରଦେଶ ପୋଲିସ୍ ପକ୍ଷରୁ ଜଣେ ଟିଡିପି ସାଂସଦ ସିଏମ୍ ରମେଶଙ୍କ ଘରେ ଚଢ଼ଉ କରାଯିବା ପରେ ଏହାକୁ ବିରୋଧ କରିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ । ଚଢ଼ଉ ପଛରେ କେନ୍ଦ୍ର ସରକାରଙ୍କ ହାତ ରହିଛି ଅଭିଯୋଗ କରି ନାଇଡ଼ୁ ପ୍ରତିବାଦରେ ଧାରଣାରେ ବସିଛନ୍ତି । ନାଇଡ଼ୁ ଡ଼ଃ ଆମ୍ବେଦକରଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବିଜୟୱାଡ଼ା ସାଂସଦ କେସିନେନି ଶ୍ରୀନିବାସ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ସହିତ ଧାରଣାରେ ବସିଛନ୍ତି । ସେ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରରୋଚନାରେ ଏହି ଚଢ଼ଉ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ କମିଶନଙ୍କୁ ନିୟନ୍ତ୍ରଣ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।
ସେ କହିଛନ୍ତି, “ଆଜି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ଟିଡିପି ଉପରେ ନୈତିକ ଆକ୍ରମଣ କରି ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନ୍ମୋହନ୍ ରେଡ୍ଡୀଙ୍କ ସମର୍ଥନରେ ନିର୍ବାଚନ କମିଶନ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛନ୍ତି । ମୁଁ ଏହାକୁ ନିନ୍ଦା କରୁଛି, କେନ୍ଦ୍ର ଗଣତନ୍ତ୍ରକୁ ଦବାଇ ରଖିବାକୁ ଚେଷ୍ଟାକରୁଛି ।” ଏହ ପୂର୍ବରୁ ଟିଡିପି ସାଂସଦ ରମେଶ ସୂଚନା ଦେଇଥିଲେ, ତାଙ୍କ ଘର ଉପରେ ବହୁ ସଂଖ୍ୟାରେ ପୋଲିସ୍ ଆସି ଚଢ଼ଉ କରିଥିଲେ । କିନ୍ତୁ କିଛି ବି ଜବତ କରାଯାଇନଥିବା ସେ କହିଥିଲେ । ଏହି ଟିଡିପି ଏମ୍ପି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ । ରମେଶ ଆହୁରି ମଧ୍ୟ କହିଥିଲେ, “ସେମାନେ କହିଥିଲେ ଉପରୁ ଅର୍ଡର ଅଛି । ପୋଲିସ୍ ବର୍ତ୍ତମାନ ନିର୍ବାଚନ କମିଶନଙ୍କ ନିୟନ୍ତ୍ରଣରେ ଅଛି । ପୋଲିସ୍ ତା କର୍ତ୍ତବ୍ୟ କରୁଛି । କିନ୍ତୁ ଏଥିରେ ୱାଇଏସ୍ଆର କଂଗ୍ରେସ ଏବଂ ଜଗନ୍ମୋହନ୍ଙ୍କ ଭୂମିକାକୁ ଏଡ଼ାଇ ଦେଇ ହେବନି । ଏବେ ନିର୍ବଚନ କମିଶନ ଉଭୟ ମୋଦି ଏବଂ ଜଗନ୍ମୋହନ୍ଙ୍କ ନିୟନ୍ତ୍ରଣରେ । ସେଥିପାଇଁ ସେମାନେ କେବଳ ଟିଡିପି ନେତାଙ୍କୁ ଟାର୍ଗେଟ୍ କରୁଛନ୍ତି ।”