ଟୋପି ପରେ ବ୍ୟାଟ୍‌ ବେଶ କମାଲ୍‌ ଦେଖାଇବ: କଳିଙ୍ଗସେନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭାରତର ନିର୍ବାଚନ କମିଶନ କଳିଙ୍ଗସେନାକୁ ଆଗାମୀ ନିର୍ବାଚନ ଲାଗି ବ୍ୟାଟ୍‌ ଚିହ୍ନ ପ୍ରଦାନକରିଥିବାବେଳେ ସେନା ସୁପ୍ରିମୋ ହେମନ୍ତ ରଥ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଚିହ୍ନ ଉନ୍ମୋଚନ କରିବା ସହିତ ଆଗାମୀ ନିର୍ବାଚନରେ ସେନାର ରଣନୀତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ଶ୍ରୀ ରଥ କହିଛନ୍ତି ଆଗାମୀ ଦିନରେ ସେନାର ବ୍ୟାଟ ବେଶ କମାଲ୍‌ ଦେଖାଇବ । ଓଡ଼ିଶାରେ ଥିବା ୪୦ଲକ୍ଷ ବେକାରୀ ଯୁବକ ଯୁବତୀମାନଙ୍କ ପାଖରେ ବ୍ୟାଟ୍‌ ପହଞ୍ଚାଇବ କଳିଙ୍ଗସେନା । ବିଶେଷକରି ଏହି ଯୁବକଯୁବତୀ ମାନଙ୍କୁ ପୁଞ୍ଜି କରି କଳିଙ୍ଗସେନା ନିର୍ବାଚନ ମଇଦାନକୁ ଓହ୍ଲାଇବ । ୨୦୦୯ ନିର୍ବାଚନରେ ସେନା ପକ୍ଷରୁ ୫୫ ବିଧାନସଭା ଓ ୮ ଲୋକସଭା ଆସନରେ ବ୍ୟାଟ ଚିହ୍ନରେ ଲଢିଥିବା ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରିଥିଲେ । ପ୍ରାର୍ଥୀମାନେ ମୋଟ ୨ ପ୍ରତିଶତ ଭୋଟ ଦଖଲ କରିଥିବାବେଳେ ଅନେକ ସ୍ଥାନରେ ଏହା ଅନ୍ୟଦଳର ପ୍ରାର୍ଥୀଙ୍କ ହାର୍‌ଜିତ୍‌ ପାଇଁ ନିର୍ଣ୍ଣାୟକ ହୋଇଥିଲା । ସେହିଭଳି ୨୦୧୪ ନିର୍ବାଚନରେ ୨୬ଟି ବିଧାନସଭା ଓ ୨ ଲୋକସଭା ଆସନରେ କଳିଙ୍ଗସେନା ଭଲ ପ୍ରଦର୍ଶନ କରିଥିଲା । ଏଥିମଧ୍ୟରୁ କେତେକ ଆସନରେ ସେନା ପ୍ରାର୍ଥୀଙ୍କ ଉପସ୍ଥିତି ଅନ୍ୟ ଦଳର ଗଣିତକୁ ଓଲଟ ପାଲଟ କରିଦେଇଥିଲା । ଆସନ୍ତା ନିର୍ବାଚନ ପାଇଁ ସେନାକୁ ବ୍ୟାଟ ଚିହ୍ନ ମିଳିଥିବାବେଳେ ଏବେଠାରୁ ଲୋକଙ୍କ ନିକଟରେ କଳିଙ୍ଗ ସୈନିକମାନେ ବ୍ୟାଟ ଚିହ୍ନ ଧରି ପହଞ୍ଚିବେ । ବିଶେଷକରି ରାଜ୍ୟରେ ୪୦ଲକ୍ଷ ବେକାର ଯୁବକଯୁବତୀ, ଦୁର୍ନୀତି, କୃଷକଙ୍କ ଆର୍ଥିକ ସ୍ଥିତି, ଅନ୍ୟ ରାଜନୈତିକ ଦଳର ମିଥ୍ୟା ପ୍ରତିଶ୍ରୁତି ଆଦିକୁ କଳିଙ୍ଗସେନା ଆଗାମୀ ନିର୍ବାଚନରେ ପ୍ରସଙ୍ଗ କରିବ । ସେହିଭଳି ଆସନ୍ତା ନିର୍ବାଚନରେ ଦଳ ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଥିବାବେଳେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ଏବଂ ମହିଳାମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଗ୍ରାଧିକାର ଦିଆଯିବ ବୋଲି ଶ୍ରୀ ରଥ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ବୈକୁଣ୍ଠ ଧଙ୍ଗଡ଼ା ମାଝି, ଯଦୁମଣି ମହାନ୍ତ, ସୁଧାକର ପ୍ରଧାନ, ସାଧାରଣ ସଂପାଦକ ସବ୍ୟସାଚୀ ମହାପାତ୍ର, ଜଗବନ୍ଧୁ ମହାନ୍ତ, ବିଜୟ ରାଜ, ସୁଶାନ୍ତ କୁମାର ସାହୁ, ବରଦାକାନ୍ତ ମହାନ୍ତି, ସଂପାଦକ ହୃଷିକେଶ ସେନାପତି, ଅବଦୁଲ କୟୁମ୍‌ ଖାନ୍‌, ନିରଞ୍ଜନ ପରିଡ଼ା, ଅଜୟ ନାୟକ, ଶିବାଶିଷ ଦାଶ, ମନୋଜ ମହାନ୍ତି, ନାରୀସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ର, ବିନତା ମହାନ୍ତି, ଚନ୍ଦ୍ରିକା ସିଂ, ସରୋଜିନୀ ସେଠୀ, ପୂଜା ବେହେରା, ବବିତା ଶର୍ମା ପ୍ରମୁଖ ବ୍ୟାଟ୍‌ ଚିହ୍ନ ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିଲେ । ଏଠାରେ ସୂଚନା ଥାଉ ଯେ, ୨୦୧୪ ନିର୍ବାଚନ ସମୟରେ ଭାରତର ନିର୍ବାଚନ କମିଶନ କଳିଙ୍ଗସେନାକୁ ଟୋପି ଚିହ୍ନ ପ୍ରଦାନକରିଥିଲେ ।

ରିପୋର୍ଟ : ଆକାଶ ମିଶ୍ର