ଟ୍ରାକ୍ଟର ଧକ୍କାରେ ଜଣେ ଆଇଟିଆଇ ଛାତ୍ରୀଙ୍କ ମୃତ୍ୟୁ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଜିଲ୍ଲାର ସଦରମହକୁମା ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଠାରୁ ଝରପୋଖରୀ ରାସ୍ତାରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ଆଇଟିଆଇ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଝରପୋଖରୀ ଗ୍ରାମର ଛତ୍ରପୁର ସରକାରୀ ଆଇଟିଆଇରେ ଇଲେକ୍ଟ୍ରିକାଲ ବିଭାଗରେ ପାଠ ପଢୁଥିବା ସୁରଭୀ ଦାସ (୧୭) ନାମକ ଛାତ୍ରୀ ନିଜ ଘରୁ ଏକ ସାଇକେଲ ଯୋଗେ ଛତ୍ରପୁର ସ୍ଥିତ ସରକାରୀ ଆଇଟିଆଇ ଆସୁଥିବା ବେଳେ ଝରପୋଖରୀ ପଥର କୂଆଁରୀ ନିକଟ ରାସ୍ତାରେ ଓଡି୦୭ଜେ୩୩୯୭ ନଂ ଏକ ଖାଲି ଟ୍ରାକ୍ଟର ଆଇଟିଆଇ ଛାତ୍ରୀଙ୍କ ସାଇକେଲକୁ ଧକ୍କା ଦେଇଥିଲା । ଯାହାଫଳରେ ଛାତ୍ରୀ ଜଣକ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ପ୍ରବଳ ଆଘାତ ହୋଇଥିବାରୁ ରକ୍ତ ବାହାରି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଦେଖି ସେହି ବାଟଦେଇ ଝରପୋଖରୀ ଗ୍ରାମର କିଛି ଛାତ୍ର ଚିକଲଖଣ୍ଡି ସ୍କୁଲ ଯାଉଥିବା ବେଳେ ଟ୍ରାକ୍ଟରଟି ଧକ୍କା ମାରି ପଳାଇଯାଉଥିବାରୁ ଗ୍ରାମର ଜଣେ ଛାତ୍ର ସାଇକେଲ ଯୋଗେ ଟ୍ରାକ୍ଟରଟି କୁଆଡେ ଗଲା ଟ୍ରାକ୍ଟର ପଛରେ ଗୋଡାଇଥିଲା । ଟ୍ରାକ୍ଟର ଡ୍ରାଇଭର ଚିକଲଖଣ୍ଡି ଗ୍ରାମ ପାଖ ଏକ ଖଳାରେ ଟ୍ରାକ୍ଟର ଟିକୁ ଲୁଚାଇ କୁଆଡେ ଚାଲିଯାଇଥିଲ। । ଏସବୁ ଗୋଡାଉଥିବା ସ୍କୁଲ ଛାତ୍ର ଜଣକ ଦେଖି ଦୁର୍ଘଟଣା ସ୍ଥାନରେ ଥିବା ମୃତଙ୍କ ପରିବାର ଲୋକ ଏବଂ ଗ୍ରାମବାସୀଙ୍କୁ ଜଣାଇଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣାର ଖବର ପାଇ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ଏବଂ ଚିକଲଖଣ୍ଡି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ଡି.ରାମସ୍ୱାମୀ ରେଡ୍ଡୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାପରେ ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ମେଡିକାଲକୁ ପଠାଇଥିଲେ । ମେଡିକାଲରେ ମୃତ ପରିବାରଙ୍କୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ ଭେଟି ଘଟଣାର ଦୁଃଖ ପ୍ରକାଶ କରିଥିଲେ । ପରେ ଛତ୍ରପୁର ଥାନାରେ ଟ୍ରାକ୍ଟର ଚାଳକଙ୍କୁ ଗିରଫ ଦାବିରେ ମୃତ ଛାତ୍ରୀଙ୍କ ପରିବାର ଏବଂ ଗ୍ରାମବାସୀ ବସି ରହିଥିଲେ । ଛତ୍ରପୁର ପୋଲିସ ପକ୍ଷରୁ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଟିକୁ ଜବତ କରାଯିବା ସହ ଘଟଣାର ତଦନ୍ତ ଚଲାଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା