
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସଂଶୋଧିତ ଟ୍ରାଫିକ ନିୟମ ସେପ୍ଟେମ୍ବର ପହିଲାରୁ ଲାଗୁ ହେବା ପରେ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି ସାଧାରଣ ଲୋକେ । ବ୍ରହ୍ମପୁର ସହରବାସୀଙ୍କ ବିଭିନ୍ନ ଅଭିଯୋଗ କ୍ରମେ ବ୍ରହ୍ମପୁର ଏସପି ପିନାକ ମିଶ୍ର ବର୍ତ୍ତମାନ ଯେଉଁ ଟ୍ରାଫିକ ନିୟମଗୁଡିକ କଡାକଡି ଭାବେ ପାଳନ କରାଯାଉଛି, ସେ ସମ୍ପର୍କିତ ଏକ ସୂଚନା ଦେଇଛନ୍ତି । ସେ ଏନେଇ ଅଧିକରୁ ଅଧିକ ସହରବାସୀଙ୍କୁ ବିଭିନ୍ନ ସୋସିଆଲ ମିଡିଆରେ ଅବଗତ କରାଇବା ପାଇଁ ସାମ୍ବାଦିକମାନଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି, ପୋଲିସ କୌଣସି କ୍ଷେତ୍ରରେ ୧୦୦୦ ଟଙ୍କାରୁ ଅଧିକ ଜୋରିମାନା ଧାର୍ଯ୍ୟ କରିବ ନାହିଁ । ଯଦି କୌଣସି ଗାଡି ଚାଳକ କାରଣ ବଶତଃ ଡ୍ରାଇଭିଂ ଲାଇସେନସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ସାଙ୍ଗରେ ଧରି ନଥିବେ ତେବେ ପରବର୍ତୀ ସମୟରେ ତାହା ଦେଖାଇ ପାରିବେ । ଦରକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କ ବିଷୟରେ ଗଞ୍ଜାମ ଆରଟିଓଙ୍କୁ ଅବଗତ କରାଯିବ । ବିନା ହେଲମେଟ ପିନ୍ଧି ଗାଡି ଚଳାଇବା, ମଦ୍ୟପାନ କରି ଗାଡି ଚଳାଇବା ଓ ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେବା, ଏହି ତିନୋଟି ଟ୍ରାଫିକ ନିୟମ ଅବମାନନା କରିଲେ ପୋଲିସ ଚାଳକଙ୍କୁ ଗିରଫ କରିବା ସହ କୋର୍ଟକୁ ଚାଲାଣ କରିବେ । ଏହି ତିନୋଟି ନିୟମକୁ ପୋଲିସ ଗୁରୁତ୍ଵ ଦେବା ସହ ବ୍ରହ୍ମପୁରବାସୀ ମଧ୍ୟ ପାଳନ କରିବାକୁ ମହତ୍ୱ ଦେଇ ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ ବୋଲି ଏସପି ପିନାକ ମିଶ୍ର ଆହ୍ୱାନ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା