

ଜଳେଶ୍ୱର (ସମୃଦ୍ଧ ଓଡିଶା) ସର୍ବଭାରତୀୟ ସ୍ତରରେ ଦରଦାମ୍ ବୃଦ୍ଧି, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ସମାନ କାମକୁ ସମାନ ମଜୁରୀ, ଶ୍ରମ ଆଇନ୍ ସଂଶୋଧନ, ଜାତୀୟ ସମ୍ପତ୍ତି ଘରୋଇ କରଣ ବନ୍ଦ, ବୋକରୀ ବୃଦ୍ଧି, ବ୍ୟାଙ୍କ ମିଶ୍ରଣ, ଧର୍ମଭୀତ୍ତିକ ରାଜନିତୀ ବନ୍ଦ କରିବା, ସି.ଏ.ଏ ଓ ଏନ୍ଆର୍ସି ଆଇନ୍ ପ୍ରତ୍ୟାହାର, କୃଷି କ୍ଷେତ୍ରରେ ସଂକଟ ପ୍ରଭୃତି ୧୨ ଦଫାେ ଦାବିରେ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଆହ୍ୱାନ ବଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଦିଆଯାଇଥିଲା । ସକାଳ ୬ଟା ଠାରୁ ଜଳେଶ୍ୱରର ଷ୍ଟେସନ ଛକ, ନୂଆବଜାର ଛକ, ବଡବଜାର ଛକ ସମେତ ନାମ୍ପୋ ଛକ, ସୁଗୋ ଛକ, ଲକ୍ଷ୍ମଣନାଥ ରୋଡ ଓ ୬୦ନଂ ଜାତୀୟ ରାଜପଥର ଟୋଲଗେଟ୍ ଠାରେ ସଡକପଥକୁ ଆନ୍ଦୋଳନକାରୀମାନେ ଅବରୋଧ କରିଥିଲେ । ଫଳରେ ସମସ୍ତ ଯାନ ଚଳାଚଳ ବନ୍ଦ ହୋଇଯାଇଥିଲା । ସେହିପରି ଲକ୍ଷ୍ମଣନାଥରୋଡ, ରୂପ୍ସା ଓ ବାଲେଶ୍ୱର ଠାରେ ଆନ୍ଦୋଳନକାରୀମାନେ ରେଳଲାଇନ୍ ଉପରେ ଧାରଣା ଦେବାଫଳରେ ଜଳେଶ୍ୱର ଷ୍ଟେସନରେ ଡାଉନ୍ ଲାଇନ୍ରେ ଏନାକୁଲମ ପାଟଣା ଏକ୍ସପ୍ରେସ୍ ୩ଘଣ୍ଟା, ଇଷ୍ଟାକୋଷ୍ଟ ଏକ୍ସପ୍ରେସ୍ ୩ଘଣ୍ଟା, ଯାଜପୁର ଲୋକାଲ ୧ ଘଣ୍ଟା, ଆପ୍ ଲାଇନ୍ରେ ଖଡଗପୁର-ଭଦ୍ରକ ମେମୁ ୧ଘଣ୍ଟ, ଧଉଳି ସୁପରଫାଷ୍ଟ ୧ଘଣ୍ଟା, ଖଡଗପୁର-ବାଲେଶ୍ୱର ୧ଘଣ୍ଟା ବିଳମ୍ବରେ ଯାତାୟାତ କରିଥିବା ରେଳବାଇ ସୂତ୍ରରୁ ପ୍ରକାଶ । ଏହି ଆନ୍ଦୋଳନ ଫଳରେ ଜଳେଶ୍ୱର ତହସିଲ, ବ୍ଲକ, ଟ୍ରେଜେରୀ, କୃଷି ବିଭାଗ, ରେଜେଷ୍ଟି ଅଫିସ୍, କୋର୍ଟ, ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀ, ପୌରପରିଷଦ କାର୍ଯ୍ୟାଳୟ ବନ୍ଦ ହୋଇଥିବା ବେଳେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା । ମାତ୍ର ଅପରାହ୍ନରେ କେତେକ ଦୋକାନ ବଜାର ଖୋଲା ରହିବା ସହିତ ୬୦ ନଂ ଜାତୀୟ ରାଜପଥ ଓ ୫୭ନଂ ରାଜ୍ୟ ରାଜପଥରେ ଯାନବାୟନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଏହି ବନ୍ଦ ହେବା ଫଳରେ ରେଳ ଷ୍ଟେସନରେ ଅଟକିଥିବା ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସିପିଏମ୍ ନେତା ଦିଲ୍ଲିପ ଗିରି, ଶିଶିର ହୁଇ, ସିତାଂଶୁ ସେନାପତି, ଜିତାଂଶୁ ନନ୍ଦି, ଗଣେଶ ଚନ୍ଦ୍ର ପାତ୍ର, ଦିଲ୍ଲିପ ପରିଡା, କୁମାର କୃଷ୍ଣ କର, ଡ. ଲଳିତ ରଂଜନ ସେନାପତି, କମଳ ଚକ୍ରବର୍ତ୍ତୀ, ଅବଦୁଲ ସାଦ୍ଦିକ, ରବିନ୍ଦ୍ର ବାରିକ, ସୁଦାମ ପାତ୍ର, ପଲ୍ଟୁ ଦାସ, ମମି ପଣ୍ଡା, ସବିତା ସାହୁ, କଂଗ୍ରେସର ସୁଦର୍ଶନ ଦାସ, ସତ୍ୟସୁନ୍ଦର ଦାସ, ଜଗଦିଶ ନନ୍ଦି, ସୁନୀଲ ପରିଡା, ରିଆଜ ଖାଁ, ରାଜୀବ ପରିଡା, ପାଚିକା ସଂଗଠନ ପକ୍ଷରୁ ଈଶାଣୀ ଷଡଙ୍ଗୀ, ପୂର୍ଣ୍ଣ ଶଶୀ ପାତ୍ର, ଜୟନ୍ତୀ ପ୍ରଧାନ, ଅଙ୍ଗନୱାଡି ସଂଘ ପକ୍ଷରୁ ଲକ୍ଷ୍ମୀପ୍ରିୟା ଦାସ, ତୃପ୍ତିରାଣୀ ମହାନ୍ତି, ବନଜା ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ । ଏଥିରେ ଜଳେଶ୍ୱରର ବସ୍ ମାଲିକ ସଂଘ, ଟ୍ରକ ମାଲିକ ସଂଘ, ଟ୍ରେକର ମାଲିକ ସଂଘ, ଟେମ୍ପୋ ମାଲିକ ସଂଘ, ପେଟ୍ରୋଲପମ୍ପ ମାଲିକ ସଂଘ ପ୍ରଭୃତି ସାମିଲ ଥିଲେ । ଆଇନ ଶୃଙ୍ଖଳା ରକ୍ଷା କରିବାପାଇଁ ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଧନେଶ୍ୱର ସାହୁଙ୍କ ସମେତ ବିଭିନ୍ନ ପୋଲିସ୍ ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା
