ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ସ୍ଥିତ ‘ସକ୍ଷମ’ ଅନୁଷ୍ଠାନର ସଦସ୍ୟମାନେ ଟ୍ରେନରେ ଭିକ ମାଗୁଥିବା ଏକ ନାବାଳିକାକୁ ଉଦ୍ଧାର କରି ଚାଇଲଡ ହେଲପଲାଇନକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏହିଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି । ଭଦ୍ରକ ରୁ ବ୍ରହ୍ମପୁର ଯାଉଥିବା ପାସେଞ୍ଜର ଟ୍ରେନରେ ଏକ ନାବାଳିକା ଭିକ ମାଗୁଥିବା ବେଳେ ଗଞ୍ଜାମର ଯୁବକ ଦୀପକ କୁମାର ବେହେରା ତାର ହାବଭାବ ଦେଖି ସନ୍ଦେହ କରି ଗଞ୍ଜାମ ଷ୍ଟେସନରେ ସକ୍ଷମର ସଦସ୍ୟମାନଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ । ଏହି ଖବର ପାଇ ସକ୍ଷମର ସ୍ଵେଛାସେବୀ ତଥା ସରପଞ୍ଚ ଜି. ସନ୍ତୋଷ ରେଡ୍ଡୀ ଓ ବସନ୍ତ କୁମାର ସାହୁ, ଗଂଜାମ ଷ୍ଟେସନରେ ଟ୍ରେନଟି ରହିବା କ୍ଷଣି ନାବାଳିକାକୁ ଉଦ୍ଧାର କରିଥିଲେ । ନାବାଳିକାକୁ ଭିକ୍ଷା ବର୍ତ୍ତିରେ ନିୟୋଜିତ କରିଥିବା ଦୈନିକ ବ୍ୟକ୍ତି ଜଣକ ଘଟଣା ସ୍ଥଳରୁ ଖସି ପଳାଇଥିଲା ପରେ ନାବାଳିକାକୁ ଷ୍ଟେସନ ସୁପରଟ୍ରେଡଜି ଶିବରାମ ଜାନି, ଟିକଟ ମାଷ୍ଟର ପ୍ରଭାତ କୁମାର ପାଢ଼ୀଙ୍କ ତତ୍ୱାବଧାନରେ ରଖାଯାଇ ଗାଇଲଡ ହେଲପ ଲାଇନକୁ ଖବର ଦିଆଯାଇଥିଲା । ନାବାଳିକା କହିବା ଆନୁଯାୟୀ ତାର ନାମ କୁମାରୀ ଶୁପ୍ରଭା ଦାସ । ତାର ଘର ଭଦ୍ରକ ଜିଲ୍ଲାର ଚାନ୍ଦପୁର ବ୍ଲକ । ସେ ମ୍ୟାଟ୍ରିକ ଫେଲ କହିବା ସହ ତାର ବାପା ଓ ମା କେହି ନାହାନ୍ତି ମରିଯାଇଛନ୍ତି । ସେ ଗତ ଦୁଇ ସପ୍ତାହ ତଳେ ଗାଁରୁ ଲୁଚି କରି ଖଡ଼କପୁର ଚାଲିଯାଇଥିଲା । ସେଠାରେ ଏକ ଷ୍ଟେସନରୁ ଏକ ଭିକ ମାଗୁଥିବା ବୁଢା ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଓ ଭୟଭୀତ କରାଇ ଆଣିବା ସହ ଟ୍ରେନରେ ଭିକ ମାଗିବାରେ ନିୟୋଜିତ କରାଇଥିବା କହିଥିଲା । ଏହାପରେ ସକ୍ଷମର ସଦସ୍ୟମାନେ ସେହି ଝିଅକୁ ନୂତନ ବସ୍ତ୍ର ଦେବା ସହ ଚାଇଲଡ଼ ହେଲପ ଲାଇନର ସଦସ୍ୟ ନୃସିଂହ ପ୍ରସାଦ ପାଣିଗ୍ରାହୀ ଓ ଗୀତାଞ୍ଜଳି ଦିଦିଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା