ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଥାନା ଅନ୍ତର୍ଗତ ପୋକୋଡିବନ୍ଧ ଛକ ଠାରେ ବକେୟା ଅର୍ଥକୁ ଦୁଇ ଠିକାଦାର ମଧ୍ୟରେ ଗଣ୍ଡଗୋଳ ଘଟିବା ସହ ଗୋଟିଏ ଠିକାଦାର ପକ୍ଷରୁ ସଂଘବଦ୍ଧ ଭାବେ ଅନ୍ୟ ଠିକାଦାରକୁ ଘାତକ ଆକ୍ରମଣ ନେଇ ଆଜି ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ପ୍ରକାରେ ଆଇ ଓ ସିଏଲ ପକ୍ଷରୁ ଚାଲୁ ରହିଥିବା ପାଇପ ଲାଇନ କାର୍ଯ୍ୟକୁ କଳ୍ପତରୁ ପାଓ୍ବାର ଟ୍ରାନସମିସନ ଲିମିଟେଡ଼ କମ୍ପାନୀର ରାକେଶ କୁମାର ଶ୍ରୀବାସ୍ତବ କାର୍ଯ୍ୟ କରୁଥିଲେ । ରାଜେଶଙ୍କ ଠାରୁ ଆସିକାର କେ. ରାଜେନ୍ଦ୍ର ରେଡ୍ଡୀ କେତେକ କାମ ନେଇ କାର୍ଯ୍ୟ କରି ଆସୁଥିଲେ, କିନ୍ତୁ ଉଭୟ ରାକେଶ ଓ ରାଜେନ୍ଦ୍ରଙ୍କ ମଧ୍ୟରେ ବକେୟା ଅର୍ଥକୁ ନେଇ ଗତ କିଛି ଦିନ ହେଲା ମତାନ୍ତର ଦେଖାଦେଇଥିଲା । ଆଜି ପ୍ରାୟ ମଧ୍ୟାହ୍ନ ୧୨ଟା ବେଳେ ରାକେଶ ପକୋଡିବନ୍ଧ ଛକ ଠାରେ କାର୍ଯ୍ୟ ତଦାରଖ କରୁଥିବା ବେଳେ ରାଜେନ୍ଦ୍ର ଘଟଣା ସ୍ଥଳରେ ପହଞ୍ଚି ବକେୟା ଅର୍ଥ ଦେବାକୁ ଦାବି କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ରାଜେନ୍ଦ୍ରଙ୍କ କେତେକ ସମର୍ଥକ ରାକେଶ ମାଡମାରିବା ସହ ରକ୍ତାକ୍ତ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ କାମ ସାଇଟ୍ ଅଞ୍ଚଳର ଅନ୍ୟ କର୍ମଚାରୀ ମାନେ ପୋଲିସକୁ ଖବର ଦେବା ସହ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ । ଏହାପରେ ଏହି ଘଟଣା ନେଇ ଗୋପାଳପୁର ପୋଲିସ ପକ୍ଷରୁ ୧୪୦/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା