ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଏବେ ଜଣେ ଠିକାଦାରଙ୍କ କବଜାରେ ରହିଥିବା ଅଭିଯୋଗ ହୋଇଛି । ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ରହିଥିବା ଖୋଲା ସ୍ଥାନମାନଙ୍କରେ ନିର୍ଦ୍ଦିଷ୍ଟ ଜନୈକ ଠିକାଦାରଙ୍କ ସମସ୍ତ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକୀୟ ସାମଗ୍ରୀ ମାନ ଗଚ୍ଛିତ ହୋଇ ରହୁଥିବା ଦେଖିବାକୁ ମିଳିଛି । ଅନ୍ୟ କୌଣସି ଠିକାଦାର କିମ୍ବା ଜରୁରୀ କାର୍ଯ୍ୟରେ କେହି କିଛି ସାମଗ୍ରୀ ରଖିଦେଲେ ସେଥିନେଇ ବିଭାଗୀୟ କର୍ତ୍ତୃପକ୍ଷ ଆକ୍ରୋଷ ମନୋଭାବ ପୋଷଣ କରୁଥିବା ବେଳେ ସମ୍ପୃକ୍ତ ଠିକାଦାରଙ୍କୁ କିଭଳି କୋହଳ ମନୋଭାବ ପୋଷଣ କରାଯାଉଛି ସେନେଇ ସାଧାରଣରେ ନାନା ସମାଲୋଚନା ହେଉଛି । ପୂର୍ବରୁ ଏହି ଡାକ ବଙ୍ଗଳା ପରିସରରେ ଠିକାଦାରମାନଙ୍କର ରୋଡ୍ ରୋଲର୍, ମିକ୍ସଚର୍ ମେସିନ୍, ଟ୍ରାକ୍ଟର ଆଦି ରହୁଥିବା ବେଳେ ଏବେ ଲୁହା ଛଡ, ସଟର୍ ପ୍ଲେଟ୍ ଭଳି ଅନ୍ୟାନ୍ୟ ସାମଗ୍ରୀ ସବୁ ମହଜୁଦ୍ କରି ରଖାଯାଇଥିବା ଦେଖିବାକୁ ମିଳିଛି । ସାଇଟ୍ରେ କାମ ସରିଯିବା ପରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରକୁ ଏବେ କନଷ୍ଟ୍ରକସନ୍ ସାଇଟ୍ କ୍ୟାମ୍ପ୍ ପାଲଟିଯାଇଥିବା ନେଇ ସମାଲୋଚନା ହେଉଛି । ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ଦିନରେ ଅନ୍ୟ ସମସ୍ତ ଠିକାଦାରଙ୍କ ସହିତ ମିଶି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ସାଇଟ୍ରେ କାମ ସରିବା ପରେ ବଳକା ରହୁଥିବା ସମସ୍ତ ସାମଗ୍ରୀକୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ମହଜୁଦ୍ କରି ରଖାଯିବ ଏବଂ ସେଗୁଡିକର ଉତ୍ତମ ରକ୍ଷଣା ବେକ୍ଷଣ ହୋଇପାରିବ ବୋଲି ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ସୁମନ ସାହୁ, ମନୋଜ ସାହୁ, ଚନ୍ଦନ ପଣ୍ଡା, ନୃସିଂହ ଚରଣ ବେହେରା, ରିତେଶ ବେହେରା, କାହ୍ନା ବେହେରା ପ୍ରମୁଖ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟ ପକ୍ଷରେ ଅଭିଯୋଗ ପ୍ରତି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବାବୁଲି ଚାନ୍ଦ ଗୌଡ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା