ଠିକା କର୍ମଚାରୀ ଅସନ୍ତୋଷ:ଦିନ ମଜୁରୀଠୁ କମ୍ ଦରମା ସେମାନଙ୍କ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତ ରବିବାର ଦିନ ଓଡ଼ିଶା କର୍ମଚାରୀ ମହାମଞ୍ଚ ସଭାଗୃହରେ ରାଜ୍ୟର ସମସ୍ତ ଠିକା କର୍ମଚାରୀମାନଙ୍କ ଏକ ପ୍ରତିବାଦ ସଭା ମହାମଞ୍ଚର ସଭାପତି ବିଜୟ ମଲ୍ଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜ୍ୟର ସମସ୍ତ ବିଭାଗର ଠିକା କର୍ମଚାରୀମାନେ ବିଭିନ୍ନ ସମସ୍ୟା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଠିକା କର୍ମଚାରୀ ହୋଇ ବି ସରକାରୀ ସୁବିଧା ପାଉନଥିବା ବେଳେ କର୍ମଚାରୀମାନେ ଦିନ ମଜୁରୀଆ ଠାରୁ କମ୍ ଦରମା ପାଉଛନ୍ତି ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ନେଇ ବହୁବାର ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତିଙ୍କ ନେତୃତ୍ୱରେ ବହୁବାର ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ଖାଲି ପ୍ରତିଶ୍ରୁତି ଦେଇ ଆନ୍ଦୋଳନକୁ ଭଣ୍ଡୁର କରିଛନ୍ତି ବୋଲି ଅଭିଯୋଗ କରିଥିଲେ । ଏପରିକି ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ବି ପାଣିର ଗାର ହୋଇଯାଇଛି । ନିର୍ବାଚନ ପରେ ସମସ୍ତ ଦାବି ପୁରଣ କରିବେ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଆନ୍ତରିକତା ଦେଖାଉନାହାନ୍ତି ବୋଲି ଅଭିଯୋଗ କରିଥିଲେ । ସରକାରଙ୍କୁ ଏହି ବାବଦରେ ଅବଗତ କରିବା ପାଇଁ ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ବହୁବାର ଅର୍ଥସଚିବ, ଗୃହସଚିବଙ୍କୁ ଭେଟି ଅବଗତ କରିଥିଲେ ବି ସେମାନେ ଅନୁଭବ କରିଛନ୍ତି ଠିକା କର୍ମଚାରୀମାନେ ଦିନ ମଜୁରୀଆ ଠାରୁ କମ୍ ଦରମା ପାଉଛନ୍ତି ଏବଂ ଏହାକୁ ବିଚାର କରି ତୁରନ୍ତ ସର୍ବନିମ୍ନ ମଜୁରୀକୁ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ୬ବର୍ଷିଆ ଠିକାକୁ ଉଚ୍ଛେଦ କରିବା ଏବେ ସମ୍ଭବ ନୁହେଁ ବୋଲି କହୁଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତ କର୍ମଚାରୀମାନଙ୍କୁ ୩ଟିରେ କାମ କରିବା ପାଇଁ କହୁଛନ୍ତି ହେଲେ ମୁଖ୍ୟମନ୍ତ୍ରୀ ଜାଣି ରଖିବା ଦରକାର ନିଜର କର୍ମଚାରୀମାନେ ଦିନକୁ ଦୀନ ମଜୁରିଆ ପାଇଁ ଧାର୍ଯ୍ୟ କରାଯାଇଥିବା ୪୩୦ଟଙ୍କା ଠୁ କମ୍ ମାତ୍ର ୩୦୦ଟଙ୍କାରେ ଠିକା କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି ଏବଂ ରାଜ୍ୟରେ ଆଇ.ଏ.ଏସ୍, ଓ.ଏ.ଏସ୍ ମାନଙ୍କର ଗୋଟିଏ ଦିନର ଦରମା ବି ଠିକା କର୍ମଚାରୀଙ୍କ ମାସିକ ଦରମାଠାରୁ ଅଧିକ । ରାଜ୍ୟରେ ୭ମ ବେତନ କମିଶନ ସମସ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହୋଇଥିଲେ ବି ଠିକା କର୍ମଚାରୀମାନଙ୍କୁ ଏଥିରୁ ବାଦ୍ ଦେବା ପରିତାପର ବିଷୟ ବୋଲି କହିଛନ୍ତି । ଏଣୁ ସରକାରଙ୍କୁ ଅନୁରୋଧ କରାଯାଇଛି ଯେ ୭ମ ବେତନ ଲାଗୁ କରି ୬ବର୍ଷିଆ ଠିକା ପ୍ରତ୍ୟାହାର କରିବା ସହ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ନିମନ୍ତେ ଦାବୀ କରାଯାଇଛି । ନଚେତ୍ ଆଗକୁ ସରକାରଙ୍କ ସମସ୍ତ ଯୋଜନାକୁ ଠିକା କର୍ମଚାରୀମାନେ ଅସହଯୋଗ କରିବେ ବୋଲି ଠିକା କର୍ମଚାରୀମାନେ ଶପଥ ନେଇଥିବା ଜଣାଇଛନ୍ତି ।

ରିପୋର୍ଟ : ବିଜୟ ମଲ୍ଲ

2 thoughts on “ଠିକା କର୍ମଚାରୀ ଅସନ୍ତୋଷ:ଦିନ ମଜୁରୀଠୁ କମ୍ ଦରମା ସେମାନଙ୍କ…

Comments are closed.