ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଶ୍ୱ ମଧୁମେହ ଦିବସ ଏବଂ ଜାତୀୟ ଫର୍ମାସୀ ସପ୍ତାହ ଅବସରରେ ବ୍ରହ୍ମପୁର ସ୍ଥିତ ଡାଇବେଟିସ ଏଣ୍ଡୋକେୟାର କ୍ଲିନିକ ଏବଂ ରୋଲାଣ୍ଡ ଫର୍ମାସୀ କଲେଜ ବ୍ରହ୍ମପୁର ପକ୍ଷରୁ ଡା. ସୁନୀଲ କୁମାର କୋଟାଙ୍କ ତତ୍ତ୍ୱାବଧାନରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସେହିଭଳି ସମ୍ମାନିତ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବି କେ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ସହରର ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆମନ୍ତ୍ରିତ ହୋଇଥିଲେ । ଏହି ପଦଯାତ୍ରାରେ ପ୍ରାୟତଃ ୨୦୦ ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ । ସତ୍ୟବ୍ରତ ଭୋଇ ସୁସ୍ଥ ଜୀବନ ଜାପନ ପାଇଁ ନିୟମିତ ବ୍ୟାୟାମ ତଥା ସଠିକ ଜୀବନ ଶୈଳୀ ଉପରେ ଗୁରୁତ୍ୱାରୋପ କରିଥିଲେ । ଡା. ବି କେ ପାଣିଗ୍ରାହୀ ନିୟନ୍ତ୍ରିତ ଖାଦ୍ୟପେୟ ଉପରେ ମତାମତ ରଖିଥିଲେ । ସମୁଦାୟ ପରିବାର ତଥା ସମାଜ ଏହି ଦିଗରେ ସଜାଗ ରହିବ ପାଇଁ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଡା. ସୁନୀଲ କୁମାର କୋଟା ନିୟମିତ ରକ୍ତ ପରୀକ୍ଷା ତଥା ଡାକ୍ତରଙ୍କ ପରାମର୍ଶ ଦ୍ୱାରା ନିଜକୁ ସୁସ୍ଥ ରଖିବା ପାଇଁ କହିଥିଲେ । ରୋଲାଣ୍ଡ ଫର୍ମାସୀ କଲେଜର ନିର୍ଦ୍ଦେଶକ ଡା. ଯେ ସୂର୍ଯ୍ୟରାଓ, ଚେୟାର ପର୍ସନ ଶ୍ରୀମତୀ ଜେ. ଜୟାଲକ୍ଷ୍ମୀ ଏବଂ ଅଧ୍ୟକ୍ଷ ଡା. ବି. ରବି କୁମାର ଜାତୀୟ ଫର୍ମାସୀ ସପ୍ତାହର ବିଷୟବସ୍ତୁ ‘ଆପଣଙ୍କର ଔଷଧକୁ ଚିହ୍ନନ୍ତୁ’ ଏବଂ ଫାର୍ମାସିଷ୍ଟକୁ ପଚାରି କୌଣସି ଔଷଧ ସେବନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଡା. କୋଟା ଉପସ୍ଥିତ ଲୋକ ମାନଙ୍କୁ ମୁଖ୍ୟ ବିଷୟ ବସ୍ତୁ ”ମଧୁମେହ ଓ ପରିବାର” ଉପରେ ସଂକ୍ଷେପରେ ଅବଗତ କରାଇଥିଲେ । ମଧୁମେହ ଏବଂ ତାହାର ଜଟିଳତାକୁ ଏଡାଇ ଦିଆଯିବା ପାଇଁ ରୋଗୀଙ୍କ ପରିବାରର ସହଯୋଗ ଏବଂ ସମର୍ଥନ ନିତ୍ୟାନ୍ତ ଆବଶ୍ୟକ । ଏହା ମାନସିକ ସ୍ତରରେ ସମର୍ଥନ, ପ୍ରତ୍ସାହନ ତଥା ରୋଗୀଙ୍କର ସୁସ୍ଥ ଜୀବନଯାପନ ଏବଂ ନିୟମତି ବ୍ୟାୟାମରେ ସକ୍ରିୟ ଅଂଶ ଗ୍ରହଣ ଆଦି କରାଯାଇ ପାରେ । ବିଶେଷତଃ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ନିୟମିତ ଔଷଧ ସେବନ, ରକ୍ତ ପରୀକ୍ଷା ଏବଂ ଡାକ୍ତର ପରାମର୍ଶ ଆଦି ପଦକ୍ଷେପରେ ପରିବାରର ଅବଦାନ ଅତି ମହତ୍ୱପୂର୍ଣ୍ଣ । ଏହାଛଡା ଡାଏବେଟିସ ଆକ୍ରାନ୍ତ ବ୍ୟକ୍ତି ନିଜ ପରିବାର ସଦସ୍ୟକୁ ମଧ୍ୟ ଏହାର ଲକ୍ଷଣ, ନିରୂପଣ ତଥା ନିରାକରଣ ଏବଂ ନିବାରଣ ବିଷୟରେ ଅବଗତ କରାଇବା ନିହାତି ଜରୁରୀ ବୋଲି କୁହାଯାଇଥିଲା । ଡା. କୋଟାଙ୍କର ଏଭଳି କାର୍ଯ୍ୟକୁ ଡ଼ିଆଇଜି ସତ୍ୟବ୍ରତ ତରାଇ ଓ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଭୂୟସ୍ୟ ପ୍ରଶଂସା କରିବା ସହିତ ଏହି ଭଳି ପ୍ରଚେଷ୍ଠା ଜାରି ରଖିବାକୁ ଅନୁରୋଧ କରିଥିଲେ । ଏହାପରେ ଉପସ୍ଥିତ ଅତିଥି ବୃନ୍ଦ ପତାକା ଦେଖାଇ ପଦଯାତ୍ରାକୁ ଉଦଘାଟନ କରିଥିଲେ । ଏହି ଗୁଲା ଗେଟ ବଜାର ଠାରୁ ଆରମ୍ଭ ହୋଇ ଆସ୍କା ରୋଡ଼, ତାଲୁକା ମଧ୍ୟରେ ଗତି କରି ଫାଷ୍ଟ ଗେଟରେ ସମାପ୍ତ ହୋଇଥିଲା । ଏଥିରେ ଯାତାୟତ କରୁଥିବା ୫୦୦୦ରୁ ଅଧିକ ଲୋକଙ୍କୁ ଡାଇବେଟିସ ସମ୍ବନ୍ଧୀୟ ଶିକ୍ଷଣୀୟ ପୁସ୍ତିକା ବଣ୍ଟନ କରାଯାଇଥିଲା । ଡା.କୋଟାଙ୍କ ଦ୍ୱାରା ପ୍ରସ୍ତୁତ ଏକ ଡାଇବେଟିସ ଶିକ୍ଷଣୀୟ ଭିଡିଓ ସୋସିଆଲ ମିଡ଼ିଆ ଜରିଆରେ ଉପସ୍ଥିତ ଲୋକମାନଙ୍କୁ ଦିଆଯାଇଥିଲା । ଏଥିରେ ରୋଲାଣ୍ଡ ଫର୍ମାସୀ କଲେଜର ଡ. ନିରଞ୍ଜନ ପାତ୍ର, ଡି ବି ଡ଼. ବିମଳେନ୍ଦୁ ଚୌଧୁରୀ, ଡା. ଜ୍ୟୋତି ପଟ୍ଟନାୟକ, ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଲାୟନସ କ୍ଲବର ସଦସ୍ୟ ଏବଂ ଡାଇବେଟିସ ଏଣ୍ଡ ଏଣ୍ଡୋକେୟାର କ୍ଲିନିକର ସ୍ୱେଚ୍ଛାସେବକ ତଥା ଫର୍ମାସୀ କଲେଜର ଛାତ୍ର ଆଦି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା