ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ତହସିଲ ଅନ୍ତର୍ଗତ ବିଭିନ୍ନ ବାଲି ସୌରାତରୁ ଚୋରାରେ ବାଲି ବ୍ୟାପକ ଭାବେ ଚାଲାଣ ହେଉଛି । ବିଶେଷ କରି ନିଲାମ ହୋଇନଥିବା ଓ ନୂତନ ଭାବେ ସୃଷ୍ଟି ହୋଇଥିବା ସୌରାତରୁ ବାଲି ମାଫିଆମାନେ ନିକଟସ୍ଥ ଗ୍ରାମବାସୀଙ୍କୁ କଳେବଳେ କୌଶଳେ ହାତ କରି ପ୍ରତିଦିନ ହଜାର ହଜାର ଟ୍ରାକ୍ଟର ବାଲି ଚାଲାଣ କରୁଛନ୍ତି । ଫଳରେ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ଘଟୁଛି । ଚୋର ବାଲି ଚାଲାଣ ରୋକିବାଲାଗି ବାଲେଶ୍ୱର ଜିଲାପାଳ ଭୋଗରାଇର ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ଜଳେଶ୍ୱର ତହସିଲରେ ସପ୍ତାହକୁ ୩ଦିନ କାର୍ଯ୍ୟ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଶ୍ରୀ ପାଣିଗ୍ରାହୀ, ସୁପରଭାଇଜର ଶୁଭେନ୍ଦୁ କୁମାର ସାହୁ ଓ ସରଡିହା ଆର୍ଆଇ ସଂଜୟ କୁମାର ପଣ୍ଡାଙ୍କ ସହିତ ସ୍ୱଳ୍ପ ସଂଖ୍ୟକ ପୋଲିସ୍ ଧରି ଦକ୍ଷିଣପ୍ରହରାଜପୁର ଗ୍ରାମନିକଟ ବାଲି ସୌରାତ ନିକଟରେ ପହଞ୍ଚି ଚଢାଉ ଆରମ୍ଭ କରିଥିଲେ । ପ୍ରକାଶ ଯୋଗ୍ୟ ନଦୀର ଅପର ପାଶ୍ୱର୍ ପଶ୍ଚିମବଂଗର ପଶ୍ଚିମ ମେଦନୀପୁର ଜିଲା ଦାନ୍ତୁନ ଥାନା ଅନ୍ତର୍ଗତ ହୋଇଥିବାରୁ ସେଠାକାର ବାଲି ମାଫିଆ ନଦୀ ଗର୍ଭରେ ବେଆଇନ କାଠପୋଲ ନିର୍ମାଣ କରିଛନ୍ତି । ଫଳରେ ଦକ୍ଷିଣପ୍ରହରାଜପୁର ଓ ନିକଟସ୍ଥ ଅନ୍ୟ ବାଲି ସୌରାତରୁ ଏହି ପୋଲ ସାହାର୍ଯ୍ୟରେ ପ୍ରତିଦିନ ହଜାର ହଜାର ଟ୍ରାକ୍ଟର ବାଲି ଚାଲାଣ ହେଉଛି । ଅତିରିକ୍ତ ତହସିଲଦାର ଶ୍ରୀ ପାଣି ଘଟଣା ସ୍ଥଳରେ ପହଞ୍ଚିବାପରେ ବାଲି ମାଫିଆ ଓ କେତେକ ସହଯୋଗୀ ଗ୍ରାମବାସୀ ଆକ୍ରମଣ କରିଥିଲେ । ରାଜସ୍ୱ ବିଭାଗ ଓ ସ୍ୱଳ୍ପ ସଂଖ୍ୟକ ପୋଲିସ୍ ସେଠାରେ ରୁଣ୍ଡ ହୋଇଥିବା ଶତାଧିକ ଲୋକଙ୍କୁ ଅକ୍ତିଆର କରିବା ସମ୍ଭବ ହୋଇନଥିଲା । ପରିସ୍ଥିତି ଅଣାୟତ୍ତର ହେବାରୁ ଅଧିକ ପୋଲିସ୍ ଫୋର୍ସ ଯାଇ ଘଟଣାସ୍ଥଳରୁ ୭ଟି ଟ୍ରାକ୍ଟରୁ ମୋଟ ୧ଲକ୍ଷ ୪ହଜାର ଟଙ୍କା ଜୋରିମାନା ଆଦାୟ ହୋଇିଛି । କିନ୍ତୁ ସେଠାରୁ ପଳାଇଯାଇଥିବା ଓ ଜବତ୍ ହୋଇଥିବା ବହୁ ଟ୍ରାକ୍ଟରର ରୋଜିଷ୍ଟେସନ ନଂ ଓ ଆବଶ୍ୟକୀୟ କାଗଜପତ୍ର ନ ଥିବା ସଂପର୍କରେ ଅତିରିକ୍ତ ତହସିଲଦାର ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଏଥିନେଇ ଅତିରିକ୍ତ ତହସିଲଦାର ଶ୍ରୀ ପାଣିଗ୍ରାହୀ ୫ଜଣଙ୍କ ନାମରେ ଏକ ଲିଖିତ ଅଭିଯୋଗ ରାଇବଣିଆ ଥାନାରେ ଦେଇଥିବାରୁ ମାମଲା ରୁଜୁହୋଇ ତଦନ୍ତ ଚାଲୁ ରହିଛି ।
ରିପୋର୍ଟ : ଭୂପତି କୁମାର ପରିଡା