ଗୋପାଳପୁର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ପୁଣି ଥରେ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଗୋପାଳପୁର ବେଳାଭୂମି ମହୋତ୍ସବ କମିଟି ପକ୍ଷରୁ ଗୋପାଳପୁରରେ ଡିସେମ୍ବର ୨୪ ରୁ ୨୮ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଏହି କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଥିବା ବେଳେ ଚଳିତ ବର୍ଷ ପୂର୍ବରୁ ଆୟୋଜିତ ହେଉଥିବା ମହୋତ୍ସବ ମଣ୍ଡପ ବଦଳରେ ଅନ୍ୟ ସ୍ଥାନରେ ଏହାକୁ ଆୟୋଜନ କରିବାକୁ ଯୋଜନା ହାତକୁ ନିଆଯାଇଛି । ଏହା ମଧ୍ୟରେ ପୂର୍ତ୍ତ ଓ କୋଠା ବାଡି ବିଭାଗକୁ ପେଣ୍ଡାଲ ନିର୍ମାଣ ଦାୟିତ୍ୱ ଦିଆଯାଇଛି । ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲା, ରାଜ୍ୟ ସମେତ ବାହାର ରାଜ୍ୟର କଳାକାର ମାନଙ୍କୁ ଏଠାକୁ ଡକାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ବଲିଉଡ ଓ ଓଲିଉଡର ନାମୀଦାମୀ କଣ୍ଠଶିଳ୍ପୀ ମାନେ ଉପସ୍ଥିତ ରହି ଦର୍ଶକଙ୍କ ମନମୋହିବେ ବୋଲି ଜଣାପଡିଛି ।ଏହା ମଧ୍ୟରେ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ ଉଦଘାଟନି ଦିବସରେ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପଲ୍ଲୀଶ୍ରୀ ମେଳା ର ମଧ୍ୟ ଆୟୋଜନ କରାଯିବ। କିନ୍ତୁ ଗୋପାଳପୁର ରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସମାଧାନ ଦିଗରେ ପ୍ରଶାସନ କିମ୍ବା ସ୍ଥାନୀୟ ଏନ୍ ଏ ସି ପୂରଣ କରିବାରେ ଆଜି ଯାଏଁ ସକ୍ଷ୍ୟମ ହୋଇନଥିବା ଆଲୋଚନା ର ବିଷୟ ପାଲଟିଛି । ବ୍ରହ୍ମପୁର ସହରଠାରୁ ଗୋପାଳପୁର ସହରକୁ ସଂଯୋଗ କରୁଥିବା ରାସ୍ତା କୁ ଜାତୀୟ ରାଜପଥ ୧୬ ତଥା ଡୁରା ଛକ ଠାରୁ ଗୋପାଳପୁର ଦଶ କିଲୋମିଟର ରାସ୍ତା ର ପ୍ରଶସ୍ତିକରଣ ସହ କୁ ଓ୍ବେ ରାସ୍ତା କରାଯାଇଥିଲେ ମଧ ଆଜି ଯାଏଁ ଏହି ଅଞ୍ଚଳରେ ରାସ୍ତା କଡ ଆଲୁଅ ବ୍ୟବସ୍ଥା କରାଯାଇପାରିଲା ନାହିଁ । ସୂଚନାଯୋଗ୍ୟ ଯେ ଗତ ୧୫ ବର୍ଷ ତଳେ ଏବେକାର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମୟରେ ପ୍ରାୟ ୨୫ଲକ୍ଷ ବ୍ୟୟରେ ୧୦୦ଟି ବିଦ୍ୟୁତ ଖୁଣ୍ଟ ଲଗାଯାଇ ରାସ୍ତା କଡ ଆଲୁଅ ବ୍ୟବସ୍ଥା କରାଇଥିଲେ । କିନ୍ତୁ ଟୁ ଓ୍ବେ ରାସ୍ତା ନିର୍ମାଣ ସମୟରେ ଲାଇଟ୍ ଗୁଡ଼ିକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କରାଯାଇଥିବା ବେଳେ ଆଜି ଯାଏଁ ଆଉ ଏହାକୁ ଲଗାଇବା ବ୍ୟବସ୍ଥା କରାଯାଇ ପାରିନାହିଁ । ଏଥି ସହ ଗତ ୨୦୧୮ରେ ରାଜ୍ୟ ଯୋଜନା ପାଣ୍ଠି ରୁ ୬କୋଟି ୧୩ଲକ୍ଷ ୧୫ହଜାର ୪୧୫ ଟଂକା ବିନିଯୋଗରେ କରାପଲ୍ଲୀ ଠାରୁ ଗୋପାଳପୁର ୫ କିଲୋମିଟର ରାସ୍ତା ର ପ୍ରଶସ୍ତିକରଣ ସହ ସମ୍ପ୍ରସାରଣ କାର୍ଯ୍ୟ ଗତ ଡିସେମ୍ବର ୧୦ତାରିଖରୁ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଧାରିତ ସମୟ ସେପ୍ଟେମ୍ବର ୯ ତାରିଖ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଆଜି ଯାଏଁ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ ଏହା ସହ ଏହି ରାସ୍ତାର ଉଭୟ କଡ଼ରେ ଦୁଇଫୁଟ ଲେଖାଏଁ ଟାଇଟଲ ବିଛାଇବା କାର୍ଯ୍ୟ ମଧ୍ୟ ସରିନାହିଁ । ଏଣୁ ମହୋତ୍ସବ ସମୟରେ ଲୋକଙ୍କ ଯାତାୟତରେ ଅସୁବିଧା ପରିଲକ୍ଷିତ ହେବା ସମ୍ଭାବନା ରହିଛି । ବିଶେଷ କରି ଗତ ୧୩ ବର୍ଷ ତଳେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଶିଶୁ ପାର୍କ ଟି ଆଜି ଯାଏଁ ବ୍ୟବହାର କ୍ଷମ ହୋଇପାରିନାହିଁ ଏଥି ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଏହି ପାର୍କର ଉନ୍ନତି କରଣ ନିମନ୍ତେ ୨୦୧୬ ଆର୍ଥିକ ବର୍ଷରେ ୫୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଆସିଥିଲେ ମଧ ଆଜି ଯାଏଁ ଏହା ଉପଯୋଗ ହୋଇପାରିନାହିଁ । ୨୦୦୬ରେ ଉଦଘାଟିତ ହୋଇଥିବା ପର୍ଯଟନ ଭାଷାନ୍ତର କେନ୍ଦ୍ରଟି ବ୍ୟବହାର ହୋଇନପାରି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଲାଣି । ଗୋପାଳପୁରରେ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ୩ଟି ସୁଲଭ ଶୈଚାଳୟ ରହିଥିଲେ ମଧ ଗୋଟିଏ ଭି ଠିକ୍ ଭାବରେ କାର୍ଯ୍ୟକ୍ଷମ ହେଉନାହିଁ ଯାହାଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମମାନେ ଶୈଚ କାର୍ଯ୍ୟ ପାଇଁ ହଇରାଣ ହେଉଛନ୍ତି । ସମୁଦ୍ରକୂଳରେ ଉପଯୁକ୍ତ ଲାଇଟ୍ ବ୍ୟବସ୍ଥା ନଥିବାରୁ ଅଧିକାଂଶ ସମୟରେ ବେଳାଭୂମି ଅଞ୍ଚ ଅନ୍ଧାରରେ ବୁଡି ରହୁଛି । ଏଣୁ ମହୋତ୍ସବ ଆୟୋଜନ ପୂର୍ବରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ନଜର ଦେବାକୁ ସାଧାରଣରେ ଦାବି ହେଉଅଛି । ଏହା ସହ ମହୋତ୍ସବ କମିଟିରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, କାଉନସିଲର ମାନଙ୍କୁ ମଧ୍ୟ ସାମିଲ କରାଯାଉନଥିବା କିମ୍ବା ସୋମାନଙ୍କ ମତାମତକୁ ମଧ୍ୟ ଗୁରୁତ୍ୱ ଦିଆଯାଉନାହିଁ । ଏପରିକି ଗତ କିଛିବର୍ଷ ହେଲା ଗୋପାଳପୁର ହୋଟେଲ ମାଲିକ ସଂଘ ପକ୍ଷରୁ ଡ଼ିସେମ୍ବର ୨୪ରୁ ୨୮ତଖରିଖ ବଦଳରେ ଜାନୁଆରୀ ଦ୍ଵିତୀୟ ସପ୍ତାହରେ ମହୋତ୍ସବ ଆୟୋଜନ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରୁଥିଲେ ମଧ୍ୟ ଏମାନଙ୍କର ଦାବିକୁ ଗୁରୁତ୍ୱ ଦିଆ ଯାଉନଥିବାରୁ ହୋଟେଲ ସଂଘ ମହୋତ୍ସବରୁ ଦୂରେଇ ରହୁଛନ୍ତି । ମହୋତ୍ସବ ସମୟରେ ଜିଲ୍ଲା ସମେତ ବାହାର ଜିଲ୍ଲା ଶିଳ୍ପ ସଂସ୍ଥାମାନେ ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ଷ୍ଟାର କାର୍ଯ୍ୟକ୍ରମର ଆୟୋଜନ ରହୁଥିବାରୁ, ଏହି ଶିଳ୍ପ ସଂସ୍ଥା ମାନେ ସେମାନଙ୍କର ସିଏସଆର ଫଣ୍ଡକୁ ନିଜ ଅଞ୍ଚଳର ଉନ୍ନତି ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ଲକ୍ଷାଧିକ ଟଙ୍କା ମହୋତ୍ସବରେ ଖର୍ଚ୍ଚ କରିଦିଅନ୍ତି । ଏଣୁ ଏ ସବୁ ପ୍ରତି ପ୍ରଶାସନ ନଜର ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା