ଡ୍ରାଇଭର ଓ କର୍ମଚାରୀଙ୍କୁ ମିଳିବ ୪ଲକ୍ଷ ଟଙ୍କାର ସହାୟତା !

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଡ୍ରାଇଭରମାନଙ୍କ ବାରମ୍ବାର ଆନ୍ଦୋଳନ ପରେ ରାଜ୍ୟ ସରକାର ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ କରି ‘କଲ୍ୟାଣ ବୋର୍ଡ ଗଠନ’ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ଏହି କଲ୍ୟାଣ ବୋର୍ଡକୁ କାର୍ଯ୍ୟକ୍ଷମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ପ୍ରାରମ୍ଭିକ ଭାବେ ପରିବହନ କର୍ମଚାରୀ ଯଥା ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ସୁବିଧା ଘୋଷଣା କରାଯାଇଛି । ଡ୍ରାଇଭର କିମ୍ବା କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କର ନିକଟ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା, ସ୍ଥାୟୀ ଅକ୍ଷମ ହେଲେ ୧.୫୦ଲକ୍ଷ ଟଙ୍କା ଓ ଅତି ଗଭୀର ଆଘାତ ହେଲେ ୮୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ସେହିପରି ସାଧାରଣ ଭାବେ ମୃତ୍ୟୁ ହେଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ଏହାବ୍ୟତୀତ ମୋଟର ପରିବହନ ଡ୍ରାଇଭର ଓ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା ଆଦିରେ ସେମାନଙ୍କର ଯୋଗ୍ୟତା ଆଧାରରେ ସାମିଲ କରାଯିବ ।ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କଲ୍ୟାଣ ବୋର୍ଡକୁ ରାଜ୍ୟ ସରକାର ଆବଶ୍ୟକ ଅନୁଦାନ ଯୋଗାଇ ଦେବେ । ପରବର୍ତ୍ତୀ ସମୟରେ ପଞ୍ଜିକରଣ ଶୁଳ୍କ ସଂଗ୍ରହ, ମୋଟରଯାନ ମାଲିକଙ୍କ ଅଂଶଦାନ ଓ ଅନ୍ୟାନ୍ୟ ସୂତ୍ରରୁ ପାଣ୍ଠି ସଂଗ୍ରହ କରି ଏହି କଲ୍ୟାଣ ବୋର୍ଡକୁ ପରିଚାଳନା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି କଲ୍ୟାଣ ବୋର୍ଡରେ ମୋଟର ପରିବହନର ଡ୍ରାଇଭର/କର୍ମଚାରୀଙ୍କ ପ୍ରତିନିଧିଙ୍କ ସମେତ ସରକାରୀ ଅଧିକାରୀ ମଧ୍ୟ ସଦସ୍ୟ ଭାବେ କାର୍ଯ୍ୟ କରିବେ । ବୋର୍ଡର କ୍ଷମତା ଓ କାର୍ଯ୍ୟଗୁଡ଼ିକ ନେଇ ଆବଶ୍ୟକ ଗାଇଡଲାଇନ୍ ଜାରି ହୋଇଛି ।ଏହି କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ ହେଲେ ପ୍ରାୟ ୫ଲକ୍ଷରୁ ଅଧିକ ମୋଟର ପରିବହନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେଉ ଥିବା ଜଣାପଡିଛି । ଉଲ୍ଲେଖ ଯୋଗ୍ୟ, ଗତ ମାର୍ଚ୍ଚ ମାସରେ ଡ୍ରାଇଭର ଏକତା ମଞ୍ଚ ପକ୍ଷରୁ ୧୦ଦଫା ଦାବିକୁ ନେଇ ରାଜରାସ୍ତାରେ ତୀବ୍ର ଆନ୍ଦୋଳନ କରାଯାଇଥିଲା । ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ସେମାନେ ନିଜର ଆନ୍ଦୋଳନରୁ ଓହରି ଥିଲେ । ବର୍ତ୍ତମାନ ସେମାନଙ୍କ ଦାବି ପୂରଣ କରାଯାଇଛି । ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ‘କଲ୍ୟାଣ ବୋର୍ଡ ଗଠନ’କରାଯାଇଛି ।