ଛତ୍ରପୁର (ସମୃଦ୍ଧ ଓଡିଶା) ଡ୍ରାଇଭିଂ ଲାଇସେନ୍ସ ପାଇଁ ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଜନସାଧାରଣଙ୍କର ଭିଡକୁ ନଜରରେ ରଖି ଏହାକୁ ବ୍ରହ୍ମପୁର ଓ ଦିଗପହଣ୍ଡି ଠାରେ ସ୍ୱତନ୍ତ୍ର ଭାବେ ଆୟୋଜନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁର ସ୍ଥିତ ଶଶୀଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଏହା ଅକ୍ଟୋବର ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ୧୮ତାରିଖ ଦିନ ଏହା କେବଳ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କର ପାଇଁ ଉଦ୍ଦିଷ୍ଟ ରହିବ । ଏଥିପାଇଁ ଶଶୀଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ସମେତ ବ୍ରହ୍ମପୁରର ଅନ୍ୟାନ୍ୟ ମହିଳା ମହାବିଦ୍ୟାଳୟ ଓ ନିକଟସ୍ଥ ମହିଳା ମହାବିଦ୍ୟାଳୟ ମାନଙ୍କର ଛାତ୍ରୀ ମାନଙ୍କୁ ଅଂଶ ଗ୍ରହଣ କରିବା ପାଇଁ କୁହାଯାଇଛି । ୧୯ ତାରିଖ ଏବଂ ୨୦ ତାରିଖ ସାଧାରଣ ଜନତାଙ୍କ ପାଇଁ ଉନ୍ମୁକ୍ତ ରହିବ । ଦିଗପହଣ୍ଡି ବ୍ଲକ ଠାରେ ଏହା ଅକ୍ଟୋବର ୨୩ ରୁ ୨୫ ତରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥିରେ ଯେକୌଣସି ଡ୍ରାଇଭିଂ ଲାଇସେନ୍ସ ଆଶାୟୀ ଅଂଶ ଗ୍ରହଣ କରିପାରିବେ । ଏଥିପାଇଁ ଜନ୍ମ ତାରିଖ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ବ୍ଲଡ଼ ଗ୍ରୁପ ପ୍ରମାଣପତ୍ର, ଆଧାରକାର୍ଡ଼, ପାନ କାର୍ଡ ଇତ୍ୟାଦି କାଗଜ ପତ୍ରର ନକଲ ପ୍ରାର୍ଥୀ ସେମାନଙ୍କ ସହ ଆଣିବେ । ପ୍ରାର୍ଥୀ ୧୮ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିଲେ ସେମାନେ ଆବେଦନ ପାଇଁ ଯୋଗ୍ୟ ବିବେଚିତ ହେବେ । ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ଏହାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଅଧସ୍ତନ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏପରି ସ୍ଵାତନ୍ତ୍ର କ୍ୟାମ୍ପ ବ୍ରହ୍ମପରୁରେ ଓ ହିଞ୍ଜିଳି ଠାରେ ଆୟୋଜିତ ହୋଇ ଜନସାଧାରଣଙ୍କ ଦ୍ୱାରା ଖୁବ ଆଦୃତ ହୋଇଅଛି ବୋଲି ବିରଞ୍ଚି ପ୍ରଧାନ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ରିପୋର୍ଟ : ଦିକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା