ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ଅଙ୍ଗନବାଡି କର୍ମୀଙ୍କୁ ଆକ୍ରୋଶମୂଳକ ଭାବେ ବହିଷ୍କାର କରାଯାଇ ଥିବା ପ୍ରତିବାଦରେ ଗତକାଲି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ବିଭିନ୍ନ ଦାବି କରିଛନ୍ତି । ଦାବିଗୁଡିକ ହେଲା – ଅଙ୍ଗନୱାଡି କର୍ମୀମାନଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଉ, ବହିସ୍କୃତ ଅଙ୍ଗନୱାଡି କର୍ମୀମାନଙ୍କୁ ଆସନ୍ତା ୧୫ ତାରିଖ ସୁଦ୍ଧା ନିଯୁକ୍ତି ପ୍ରଦାନ କରାଯାଉ, କେନ୍ଦ୍ର ସରକାର ଘୋଷଣା କରିଥିବା ୧୫୦୦ ଟଙ୍କାକୁ ବାଦ ଦେଇ ଜାନୁୟାରୀ ୧୨ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୫୦୦ ଟଙ୍କା ତୁରନ୍ତ ପ୍ରଦାନ କରାଯାଉ, ଜାନୁୟାରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅଙ୍ଗନୱାଡି କର୍ମୀମାନଙ୍କର ଅବସର ବୟସ ସୀମା ୬୨ ବର୍ଷ, ଖରା ଛୁଟି, ରନ୍ଧନ ଗ୍ୟାସ ପ୍ରଦାନ, ଅବସରକାଳୀନ ସହାୟତା ରାଶି ପ୍ରଦାନ କରାଯାଉ । ନଚେତ ସଂଘ ପକ୍ଷରୁ ଆନ୍ଦୋଳକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହାପରେ ମହିଳା ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି