ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ ଏବଂ ଜାତୀୟ ଡାକ କର୍ମଚାରୀ ସଂଘ ପକ୍ଷରୁ ମିଳିତ ଭାବରେ ବନ୍ଦ ଡାକରା ଦିଆଯାଇଛି । ସୂଚନା ଅନୁଯାଇ କେନ୍ଦ୍ରରେ ଏନ.ଡ଼ି.ଏ ସରକାର ଗଠନର ଛଅ ମାସ ନପୁରୁଣୁ କର୍ମଚାରୀ ତଥା ଜନବିରୋଧୀ ନୀତି ଅବଲମ୍ବନ କରୁଛନ୍ତି । ଡାକ ବିଭାଗକୁ ଘରୋଇ ଏକଚାଟିଆ ପୁଞ୍ଜିପାତି ମାନଙ୍କ ହାତରେ ଟେକିଦେବାରେ ମସୁଧା ଚଳାଉଛନ୍ତି । ଫଳରେ ଆମ ଚାକିରୀ ନିରାପତ୍ତା ହରାଉଛି । ଏଣୁ ଏହି ଧର୍ମଘଟରେ ଡାକ ବିଭାଗରେ ଥିବା ସମସ୍ତ ସଂଘ ବିଭିନ୍ନ ଦାବି ନେଇ ସାମିଲ ହୋଇଛନ୍ତି । ଯେପରିକି ନୂତନ ପେନସନ ସ୍କିମ ବନ୍ଦ କରି ପୁରୁଣା ପେନସନ ସ୍କିମ ଚାଲୁ କରିବା, ଡାକବିଭାଗକୁ ଘରୋଇକରଣରୁ ବନ୍ଦ କରିବା, ଗ୍ରାମୀଣ ଡାକ ସେବକ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ସପ୍ତାହକୁ ପାଞ୍ଚଟି କାର୍ଯ୍ୟ ଦିବସ ଲାଗୁ କରିବା, ସମାନ କାମକୁ ସମାନ ଦରମା ଦେବା ଦାବି ଇତ୍ୟାଦି । ଢେଙ୍କାନାଳ ଡାକ ମଣ୍ଡଳର ଅଖିଳ ଭାରତ ଡାକକର୍ମଚାରୀ ସଂଘର ମଣ୍ଡଳ ସମ୍ପାଦକ (ତୃତୀୟ ଶ୍ରେଣୀ) ନିରଞ୍ଜନ ସାହୁ, ଅଶୋକ କୁମାର ନନ୍ଦ, ମଣ୍ଡଳ ସମ୍ପାଦକ, ଜାତୀୟ ଡାକ କର୍ମଚାରୀ ସଂଘ(ତୃତୀୟ ଶ୍ରେଣୀ), ପ୍ରେମଲତା ସେଠୀ ଓ କାଳନ୍ଦୀ ଚରଣ ସାହୁ ସମ୍ପାଦକ, ପୋଷ୍ଟମାନ ଏବଂ ଏମ.ଟି.ଏସ. ଅନ୍ତର୍ଯ୍ୟାମୀ ଖୀଲାର ଓ ହରେଶ ଚନ୍ଦ୍ର ମିଶ୍ର, ସମ୍ପାଦକ, ଗ୍ରାମୀଣ ଡାକ ସେବକ ସଂଘର ନେତୃବୃନ୍ଦଙ୍କ ସହ ଅନ୍ୟ ଡାକ କର୍ମଚାରୀମାନେ ଧର୍ମଘଟକୁ ସଫଳ କରିବା ପାଇଁ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି