ଢେଙ୍କାନାଳରେ ପ୍ରତିଷ୍ଠିତ ହେଲା ୧୦୦ ବେଡ଼ ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣ ସହ ଲଢ଼ିବାକୁ ପ୍ରସ୍ତୁତ ରହିଛି ଢେଙ୍କାନାଳ । ବାଜିଚୌକ ସ୍ଥିତ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଜି ଢେଙ୍କାନାଳ ସହରର ବାଜିଚୌକ ଠାରେ ରହିଥିବା ପୁରୁଣା ଡାକ୍ତରଖାନା ଗୃହର ପୁନରୁଦ୍ଧାର କରାଯାଇ ଏହାକୁ ରାଜ୍ୟ ସରକାର କୋଭିଡ-୧୯ ଚିକିତ୍ସା କେନ୍ଦ୍ର ରୂପେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟନ କରାଯାଇଛି । ଏହି ହସ୍ପିଟାଲରେ କରୋନା ଭୁତାଣୁ ସଂକ୍ରମଣ ଆକ୍ରାନ୍ତକୁ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ୧୦୦ ବେଡ଼ ବିଶିଷ୍ଟ ଏହି କରୋନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇଟି ୱାର୍ଡ ପ୍ରସ୍ତୁତ କରାଯାଇଛି । ଗୋଟିଏ ୱାର୍ଡରେ ୪୦ଟି ବେଡ଼ ରହିଛି ଯେଉଁଠାରେ କେବଳ କରୋନା ସନ୍ଦିଗ୍ଧମାନେ ରହିବେ । ଅନ୍ୟ ଷାଠିଏ ବେଡ଼ରେ କେବଳ ଆକ୍ରାନ୍ତଙ୍କୁ ରଖାଯିବ । ଏଥିରେ ଗୁରୁତର ସଂକ୍ରମିତ ମାନଙ୍କ ପାଇଁ ୬ଟି ଆଇ.ସି.ୟୁ.ର ବ୍ୟବସ୍ଥା ରହିଛି । ଏହାଛଡା ସମସ୍ତ ଆକ୍ରାନ୍ତ ପାଇଁ (Oxygen Support) ଅମ୍ଳଜାନ ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଏହି ଚିକିତ୍ସା କେନ୍ଦ୍ରକୁ ଓ.ଏମ.ସି.ର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଜିଲ୍ଳାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଜି ଏହା କାର୍ଯ୍ୟକ୍ଷମ କରାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା