ଢେଙ୍କାନାଳରେ “ଭାରତର ବିଜ୍ଞାନ ଆଭିମୂଖୀ ଜନଯାତ୍ରା” ପାଳନ:ଅଂଶ ଗ୍ରହଣ କଲେ ବହୁ ଛାତ୍ରୀ ଓ ଶିକ୍ଷକ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ସମେତ ଦେଶ ତଥା ରାଜ୍ୟର ବହୁ ଛୋଟ-ବଡ ସହରରେ ହଜାର ହଜାର ସଂଖ୍ୟାରେ ବୈଜ୍ଞାନିକ, ଗବେଷକ ତଥା ବିଜ୍ଞାନପ୍ରେମୀ ଜନଗଣ ସମାଜରେ ବୈଜ୍ଞାନିକ ଚିନ୍ତାର ପ୍ରଚାର-ପ୍ରସାର କରିବା ଏବଂ ପ୍ରଚଳିତ ବହୁ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ‘ବିଜ୍ଞାନ ଆଭିମୂଖୀ ଜନଯାତ୍ରା’ରେ ଯୋଗ ଦେଇଛନ୍ତି । ଏହି ପରିପ୍ରେକ୍ଷିରେ ଶଙ୍କର ଏକାଡେମୀର ଛାତ୍ରଛାତ୍ରୀମାନଙ୍କ ଉଦ୍ୟୋଗରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ର-ଶିକ୍ଷକ ତଥା ବୁଦ୍ଧିଜୀବିମାନେ ଷ୍ଟାଡିୟମ ପାଖରୁ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ବାହାରି ରଠାଗଡ ଛକ ଠାରେ ପହଞ୍ଚିଥିଲେ । ବହୁ ପ୍ରକ୍ଷାତ ବୈଜ୍ଞାନିକ ଯଥା ଆଇନଷ୍ଟାଇନ, ସି.ଭି ରମଣ, ମେଘନାଦ ଶାହା, ମ୍ୟାଡାମ କ୍ୟୁରି ଓ ଷ୍ଟିଫେନ୍ ହକିଂ ପ୍ରମୁଖଙ୍କର ଫଟୋଚତ୍ର ଓ ଉଦ୍ଧୃତି ସମ୍ବଳିତ ପୋଷ୍ଟରମାନ ଧରି ପିଲାମାନେ ବିଜ୍ଞାନକୁ ଏକ ଉତ୍ସବ ଭାବରେ ପାଳନ କରିବାର ଦେଖାଯାଇଥିଲା । ବିଭିନ୍ନ ରଙ୍ଗବେରଙ୍ଗର ପୋଷ୍ଟରରେ ‘କେନ୍ଦ୍ର ସରକାର ବଜେଟରେ ୧୦ପ୍ରତିଶତ, ରାଜ୍ୟ ସରକାର ୩୦ ପ୍ରତିଶତ ଶିକ୍ଷାରେ ବ୍ୟୟ କରନ୍ତୁ’ ଓ ‘ବୈଜ୍ଞାନିକ ଗବେଷଣା ପାଇଁ ଜି.ଡି.ପିର ୩ ପ୍ରତିଶତ ଖର୍ଚ୍ଚ କରାଯାଉ’ ଆଦି ଦାବିଗୁଡିକ ମଧ୍ୟ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ପ୍ରଫେସର ଡଃ. ପୂର୍ଣ୍ଣଚନ୍ଦ୍ର ରଥ ସମ୍ବୋଧିତ କରି କହିଥିଲେ । ଏହି ଅବସରରେ ପ୍ରଥମ ସେମିନାରର ପୂର୍ବାହ୍ନ୧୧.୩୦ଟା ସମୟରେ ଡି.ଆଇ.ଇ.ଟି ଢେଙ୍କାନାଳ ଠାରେ ଆୟୋଜନ କରାଯାଇଥିଲା । ଏହି କଲେଜର ପ୍ରିନ୍ସପାଲ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର ସଭାପତିତ୍ୱ କରିଥିଲେ । ବି.ବି ହାଇସ୍କୁଲର ଶିକ୍ଷକ ଡ଼ଃ ଦେବୀପ୍ରସାଦ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଜ୍ଞାନ ଚେତନା ମଞ୍ଚର ଉପଦେଷ୍ଟା ଡ଼ଃ ବିଶ୍ୱାବସୁ ଦାସ ଉଦ୍ବୋଧନ ଦେଇ କହିଥିଲେ ଯେ ବିଜ୍ଞାନ କେବଳ ପରୀକ୍ଷିତ ସତ୍ୟକୁ ହିଁ ଆଧାର କରି ଆଜି ଏହି ବିରାଟ ଜ୍ଞାନ ଜଗତ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି । କିନ୍ତୁ ବିଭିନ୍ନ ମନଗଢା ଧ୍ୟାନଧାରଣାକୁ ବିଜ୍ଞାନ ବୋଲି ଅପପ୍ରଚାର କରାଯାଉଛି । ବିଜ୍ଞାନର ପରୀକ୍ଷିତ ଓ ପ୍ରମାଣିତ ସିଦ୍ଧାନ୍ତଗୁଡିକୁ ନିଜର ଖିଆଲ ଖୁସିରେ ଭୁଲ ବୋଲି କୁହାଯାଉଛି । ଏହା ଭାରତରେ ବିଜ୍ଞାନ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ହୋଇଛି । ପିଲାମାନେ ପ୍ରଶ୍ନ କରିବା ଓ ଯୁକ୍ତି ତର୍କ ମାଧ୍ୟମରେ ସମସ୍ତ ବିଷୟକୁ ବିଶ୍ଳେଷଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅପରାହ୍ନରେ ଆଉ ଏକ ସେମିନାର ଇ ଟେକ୍ ରେସିଡେନ୍ସିଆଲ କଲେଜଠାରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ସେମିନାର କଲେଜର ପ୍ରିନ୍ସିପାଲ ଡ଼ଃ. ସୁରେଶ ମିଶ୍ର ସଭାପତିତ୍ୱ କରିଥିଲେ । ଶେଷରେ ବିନୋଦ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି