

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସି ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ମହିଷାପାଟ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଶାହା ଢେଙ୍କାନାଳର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳା ଏବଂ ମହାଦେବ ଚନ୍ଦ୍ରଶେଖରଙ୍କୁ ପ୍ରଣାମ ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଏହି ଅବସରରେ ସେ ଉଭୟ ବିଜେଡ଼ି ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ନେଇ ଶାହା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ବିଜେପି ଡରିବ ନାହିଁ କି ପଛକୁ ହଟିବ ନାହିଁ । ୩ ଦିନ ତଳେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଗଲା । ପୁଣି ବିଜେପୁରରେ ବିଜେପି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହେଲା । ବିଜେପି ଏସବୁର ଉତ୍ତର ନିଶ୍ଚୟ ଦେବ । ମୋଦୀଙ୍କ ନେତୃତ୍ୱରେ ଦେଶ ସଶକ୍ତ ହୋଇଛି । ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହେବେ । ୫ବର୍ଷରେ ମୋଦୀ ଦେଶ ପାଇଁ ବହୁତ କିଛି କରିଛନ୍ତି । ମୋଦୀଙ୍କ ସମୟରେ ଦେଶ ସୁରକ୍ଷିତ ଅଛି । ଦୀର୍ଘ ୨୦ ବର୍ଷ ଧରି ନବୀନ ବାବୁ ସରକାର ଚଳାଉଛନ୍ତି । ହେଲେ ଏବେ ମଧ୍ୟ ଓଡିଶାର ୩୫ ପ୍ରତିଶତ ଘରେ ପିଇବା ପାଣି ସୁବିଧା ନାହିଁ । ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର କିନ୍ତୁ ରାଜ୍ୟବାସୀ ଗରିବ । ରାଜ୍ୟ ସରକାର ଏହାକୁ ସଠିକ୍ ଉପାୟରେ ଉପଯୋଗ କରିପାରୁନାହାନ୍ତି । ଓଡ଼ିଶାର ଖଣି ଉଦ୍ୟୋଗପତିଙ୍କୁ କମ୍ ଦାମରେ ବିକ୍ରି କରାଯାଉଛି କିନ୍ତୁ ବିଜେପି ସରକାର ଆସିଲେ ସମସ୍ତ ଖଣି ମାଫିଆମାନଙ୍କୁ ଜେଲ ପଠାଯିବ । ଏହାସହ ବିଜେପି ସରକାର ଆସିଲେ ସବୁ ଏସଏଚଜି ଗ୍ରୁପ୍ ଋଣ ଛାଡ଼ ହେବ ବୋଲି କହିଛନ୍ତି । ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ହେଲେ ୫ବର୍ଷରେ ଓଡ଼ିଶା ୧ ନମ୍ବର ରାଜ୍ୟ ହେବ ବୋଲି ଶାହା କହିଛନ୍ତି । ଶେଷରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ପୁଣିଥରେ ମୋଦୀ ସରକାର ଆଣିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରି ସେ ନିଜର ଅଭିଭାଷଣ ଶେଷ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି


