ଢେଙ୍କାନାଳରେ ସମବାୟ ସପ୍ତାହ ପାଳନ…

ଢେଙ୍କାନାଳ(ସମୃଦ୍ଧ ଓଡିଶା)ଢେଙ୍କାନାଳ ଟାଉନ୍ ହଲ୍ ଠାରେ ଆଜି ଢେଙ୍କାନାଳ ଜିଲ୍ଲା ସମବାୟ ବିଭାଗ ତରଫରୁ ଢେଙ୍କାନାଳ ଜିଲ୍ଲା ଉପ ନିବନ୍ଧକ ସଂଗ୍ରାମ କିଶୋର ରାଉତଙ୍କ ପୌରହିତ୍ୟରେ ୬୬ଷ୍ଟ ଜାତୀୟ ସମବାୟ ସପ୍ତାହ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ସଭାରେ ଜିଲ୍ଲାର ସମବାୟବିତ, ବୁଦ୍ଧିଜିବୀ, ସମିତି କର୍ମଚାରୀ ତଥା ସମବାୟ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଭାରତରେ ସମବାୟ ଆନ୍ଦୋଳନ ଓ ତହିଁରେ ଓଡିଶାର ସମବାୟ ଆନ୍ଦୋଳନର ଦୀର୍ଘ ଇତିହାସ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କୃଷି ରୁଣ ଓ କୃଷି ଆନୁସଙ୍ଗିକ ଜନ୍ତ୍ରପାତି, ସାର, ବିହନ ଓ କୀଟ ନାଶକ ଔଷଧ ଯୋଗାଇ ଦେବା କ୍ଷେତ୍ରରେ ସମବାୟ ସମିତି ଗୁଡିକର ଭୂମିକା ଯେ ଉଲ୍ଲେଖନୀୟ , ଏହା ହିଁ ବକ୍ତାମାନେ ମତପୋଷଣ କରିଥିଲେ। ସମବାୟ ସଂସ୍ଥାକୁ ଛାଡିଦେଲେ ଓଡ଼ିଶାର ଚାଷୀ ମୂଲିଆଙ୍କ ଅବସ୍ଥାରେ ଉନ୍ନତି ଯେ ଆସି ପାରିବ ନାହିଁ, ତେଣୁ ସମବାୟସଂସ୍ଥା ଗୁଡିକ ଅଧିକ ସକ୍ରିୟ ହୋଇ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଉପ ନିବନ୍ଧକ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ଯକ୍ରମକୁ ସମବାୟ ନିରୀକ୍ଷକ ପ୍ରତାପ ଚନ୍ଦ୍ର ମଲ୍ଲିକ ସଂଯୋଜନା କରିଥିଲେ। ଉକ୍ତ ସଭାରେ ଉପ ସହକାରୀ ନିବନ୍ଧକ ଶାରଦା ପ୍ରସାଦ ମିଶ୍ର, ବିଦ୍ୟାଧର ବେହେରା, ଲିଙ୍ଗରାଜ ଦାସ, ସତ୍ୟ ପ୍ରକାଶ ସେଠୀ, ବିଜେନ୍ଦ୍ର ମହାନ୍ତି ଓ ନିରଞ୍ଜନ ସେଠା ଏବଂ ସମବାୟ ନିରୀକ୍ଷକ ସୁଚିସ୍ମିତା ସାହୁ, ଶୁଭ୍ରାଂଶୁ ଶେଖର ପାତ୍ର ଓ ରୁପେଶ କୁମାର ବେହେରା ତଥା ସଞ୍ଜୟ ମହାପାତ୍ର, ହରପ୍ରିୟା ଦାସ ପ୍ରମୂଖ ସମବାୟ ଅଧିକାରୀ ଅଂଶ ଗ୍ରହଣ କରି ବକ୍ତବ୍ୟ ରଖିଥିଲେ। ଏତଦ୍ ବ୍ୟତୀତ ଉପଖଣ୍ଡ ଅଧୀନସ୍ଥ ବିଭିନ୍ନ୍ ବ୍ୟାଙ୍କ ଶାଖାରେ ସମବାୟ ସପ୍ତାହ ପାଳନ କରାଯାଇ ଓ ସେଥିରେ ବକ୍ତୃତା ପ୍ରତିଯୋଗୀତାମାନ ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଆଜିର ସଭାରେ ପ୍ରମାଣପତ୍ର ଓ ଉପଢୌକନ ଉପ ନିବନ୍ଧକ ଦ୍ଵାରା ପ୍ରଦାନ କରା ଯାଇଥିଲା ।

ରିପୋର୍ଟ : ଶୁଭମ ପାଣି