ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଭାଗୀରଥି ସାଗରର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି ପତ୍ର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଭାଗୀରଥି ସାଗରର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଢେଙ୍କାନାଳ ସହରର ମଧ୍ୟ ଭାଗରେ ଏକ ଐତିହାସିକ ଜଳାଶୟ ଯାହାକି ପ୍ରାୟ ୧୫୦ ବର୍ଷ ପୂର୍ବରୁ ତତକାଳୀନ ରାଜା ଭାଗିରଥ ମହେନ୍ଦ୍ର ବାହାଦୁର ଲୋକମାନଙ୍କର ହିତ ପାଇଁ ପ୍ରତିଷ୍ଠା କରିଥିଲେ । ଏବେ ତାହା ‘ଭାଗିରଥି ସାଗର’ ବା ‘ନୂଆ ପୋଖରୀ’ ନାମରେ ନାମିତ । ଜଳାଶୟଟି ପ୍ରାୟ ୨୬ ଏକର ବିଶିଷ୍ଟ, ଯାହାକି ଏକମାତ୍ର ପୁଷ୍କରିଣୀ ସମଗ୍ର ଢେଙ୍କାନାଳ ସହରର ଜଳସ୍ତର ଠାରୁ ଉର୍ଦ୍ଧ୍ୱରେ ରହିଛି । ଏହା କେବଳ ସମସ୍ତ କୂଅ ଗୁଡିକରେ ଜଳସ୍ତର ସମାନ ରଖେ ତାହା ନୁହେଁ, ବରଂ ଆଖପାଖରେ ଥିବା ସମସ୍ତ ବସ୍ତିବାସିନ୍ଦାଙ୍କର ଗାଧୁଆ ସ୍ଥଳ । ପର୍ଯ୍ୟାୟକ୍ରମେ ଜଳାଶୟର ଚତୁଃପାର୍ଶ୍ଵରେ ଦକ୍ଷିଣରେ ଜିଲ୍ଲା ସଂସ୍କୃତି ଭବନ ଓ ଚିନ୍ମୟ ମିଶନ, ପଶ୍ଚିମରେ ବୋଇତ ବନ୍ଦାଣ ଉପଲକ୍ଷେ ସ୍ଥାନ ଓ ନେହେରୁ ପାର୍କ ପାଇଁ ଜଳାଶୟର ପରିସୀମା ସଂକୀର୍ଣ୍ଣ ହୋଇଆସିଛି । ଫଳରେ ପୁଷ୍କରିଣୀର ଜଳ ଧାରଣ କ୍ଷମତା କମି ଯାଇଛି । ଏବେ ପୁଣି ପୌରପରିଷଦ ତରଫରୁ ସୌନ୍ଦର୍ଯ୍ୟକରଣ ପାଇଁ ଏକ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି । ଯଦ୍ୱାରା ପୁଷ୍କରିଣୀର ଆହୁରି ସଂକୀର୍ଣ୍ଣ ହେବ । ଏଣୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ ତରଫରୁ ଜଳାଶୟର ଜଳ ଧାରଣ କ୍ଷମତାକୁ କମ ନକରିବାକୁ ଦୃଷ୍ଟିରେ ରଖି ଉକ୍ତ ପ୍ରୋଜେକ୍ଟଟିକୁ ଅନ୍ୟପଟକୁ ସ୍ଥାନାନ୍ତରଣ କରିବା ପାଇଁ ଏବଂ ଜଳାଶୟର ପଙ୍କ ଉଦ୍ଧାର ସହିତ ଚତୁଃପାର୍ଶ୍ଵ ତାଳହୁଡାକୁ ପଥର ବନ୍ଧ ଦ୍ୱାରା ସୁଦୃଢ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସମୟରେ ବହୁ ସଚେତନ ନାଗରିକମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି