

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଦୁର୍ନତି ଏବଂ ନିଶାସେବନ ଦୁଇଟି ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେହି ଦାବୀ ପତ୍ରରେ ଉଲ୍ଲେଖ ଅଛି ଯେ ସମାଜରେ ଦୁର୍ନତି ଏବଂ ନିଶାସେବନ ଦୁଇଟି ଭୟଙ୍କର ବ୍ୟାଧି ରୂପେ ଦେଖାଦେଇଛି । ଏହାର କ୍ରମବର୍ଦ୍ଧିଷ୍ଣୁ ରୂପର ପ୍ରଭାବ ନିରୀହ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ ଏବଂ ଭୀତତ୍ରସ୍ତ କରି ସାରିଲାଣି । ଦୁର୍ନୀତିର ପ୍ରଭାବରେ ନୀରିହ ଜନସାଧାରଣ ସାମାଜିକ ନ୍ୟାୟରୁ ବଞ୍ଚିତ ହେଉଛନ୍ତି । ମଦୁଆମାନଙ୍କ ପ୍ରଭାବରେ ଦିନ ଦ୍ଵିପ୍ରହରରେ ଝିଅ ବୋହୁମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଦିନକୁ ଦିନ ନାରୀ ଏବଂ କୋମଳମତି ନାବାଳିକା ଧର୍ଷଣର ଶିକାର ହେଉଛନ୍ତି । ତେଣୁ ଆଜିର ନଷ୍ଟଭ୍ରଷ୍ଟ, ଅଵ୍ୟଵସ୍ଥିତ ଏବଂ ଅସୁରକ୍ଷିତ ସମାଜକୁ ବ୍ୟବସ୍ଥିତ ଓ ସୁରକ୍ଷିତ କରିବା ନିମନ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ଫୋରମର ବହୁ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି