ତାଣ୍ଡବ ରଚିବ ବୁଲବୁଲ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାମୁଦ୍ରିକ ବାତ୍ୟା ବୁଲବୁଲ ବେଳକୁ ବେଳ ଉଗ୍ର ରୂପ ଧାରଣ କରି ଗତିପଥ ବଦଳାଉଥିବା ଜଣାପଡିଛି । ତେଣୁ ଓଡିଶାର କିଛି ଅଂଶରେ ବୁଲବୁଲ ତାଣ୍ଡବଲୀଳା ରଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାଇ ଓଡ଼ିଶା ଉପରେ ବୁଲବୁଲର ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଥିବା ବେଳେ ପୁଣି ବୁଲବୁଲ ଗତିପଥ ବଦଳାଉଥିବା ଜଣାପଡିଛି । ବର୍ତ୍ତମାନ ବାତ୍ୟା ବୁଲବୁଲ ବାଂଲାଦେଶ ମୁହାଁ ହେଲେ ମଧ୍ୟ ପୂରା ବିପଦମୁକ୍ତ ହୋଇପାରି ନାହିଁ ଓଡ଼ିଶା । ଫେରିବା ବାଟରେ ଓଡ଼ିଶାର କିଛି ଅଂଶରେ ତାଣ୍ଡବଲୀଳା ରଚିବ ବୋଲି ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ । ବୁଲବୁଲ ସ୍ଥଳଭାଗ ଛୁଇଁଲେ ୮୦ରୁ ୯୦ ବେଗରେ ପବନ ବହିବ ବୋଲି କୁହାଯାଇଛି । ବର୍ତ୍ତମାନ ଦ୍ରୁତଗତିରେ ବାତ୍ୟା ମାଡି ଆସୁଥିବାରୁ କଚାଘର, ବିଦ୍ୟୁତ ଖୁଣ୍ଟ, ଗଛ ଏବଂ ଫସଲ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ବୈଠକରୁ ସୂଚନା ମିଳିଛି । ଏନେଇ ସମସ୍ତ ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ ଟିମମାନଙ୍କୁ ନିୟୋଜିତ କରାଯାଇଛି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଛି । ତେଣୁ ଆଜିଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ କୁହାଯାଇଛି । ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଫେରି ଆସିବାକୁ କୁହାଯାଇଛି । ମୁଖ୍ୟତଃ ପୁରୀ, ମୟୂରଭଞ୍ଜ, କେନ୍ଦ୍ରାପଡା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ବାତ୍ୟା ବୁଲବୁଲର ଗତିପଥ ବଦଳିବା ସୂଚନା ଆସିବା ପରେ ବାତ୍ୟାର ମୁକାବିଲା କରିବା ପାଇଁ ଲୋକସେବା ଭବନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିଡ଼ିଓ କନଫରେନ୍ସିଂ ଜରିଆରେ ବୈଠକ ଚାଲିଥିବା ଜଣାପଡିଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଏସ ଆରସି ପ୍ରମୁଖ ଉପସ୍ଥିତ ରହିଛନ୍ତି । ବୁଲବୁଲ୍ ସଂକ୍ରାନ୍ତରେ ଓଡ଼ିଶା, ଆଣ୍ଡାମାନ, ପଶ୍ଚିମବଂଗ ସହ ମଧ୍ୟ ଆଲୋଚନା କରାଯାଇଛି । ଏହାସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଛି । ୮ ତାରିଖ ଦିନ ହିଁ ବାତ୍ୟାର ଏହି ପ୍ରଭାବ ରହିବ । ଏହାର ପ୍ରଭାବରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି ।