ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ, ଖୋଳଖାଳି ଗ୍ରାମ ପଞ୍ଚାୟତ, ବେଠିଆ ବୋରଦା ଗ୍ରାମର ତ୍ରିନାଥ ମହାରଣା (୭୬)ଙ୍କ ମରଶରୀର ତାମିଲନାଡୁରୁ ନିଜ ଗ୍ରାମ ବେଠିଆ ବରଦାରେ ୨୫ ତାରିଖ ସକାଳେ ପହଞ୍ଚିଥିବା ଜଣାପଡିଛି । ଘଟଣା କ୍ରମରେ ସ୍ୱର୍ଗତ ତ୍ରିନାଥ ମହାରଣାଙ୍କ ସମେତ ୧୬ ଜଣ ଓଡ଼ିଆ ଶ୍ରମିକ ତାମିଲନାଡୁର ଥିରୁଭେଲୁର ଜିଲ୍ଲାର ଭାରତୀୟ ପୁଲଭେରୀସେର୍ସ ସିଟିକଟ ଇଣ୍ଡଷ୍ଟ୍ରିଆଲ ପାର୍କ, ପ୍ଲଟ ନଂ ୧୧/୨ର ଫ୍ୟାକ୍ଟେରୀରେ କାମ କରୁଥିଲେ । ଲକଡାଉନ ଯୋଗୁଁ କାମ ନମିଳିବା ଯୋଗୁଁ ଚାଲି ଚାଲି ପ୍ରାୟ ୧୫ କି.ମି. ଆସିବା ପରେ ସେହି ୧୬ ଜଣଙ୍କୁ ଥିରୁଭେଲୁର ଜିଲ୍ଲା ମାଦରପଟମ ଥାନା ପୋଲିସ ଅଟକାଇ ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ । ସମସ୍ତେ ନିଜ ନିଜ ଗ୍ରାମକୁ ଆସିବା ପାଇଁ ରେଜିଷ୍ଟ୍ରେସନ ମଧ୍ୟ କରିଥିଲେ । ପୋଲସରା ଓ ଜଗନ୍ନାଥପ୍ରସାଦ ବ୍ଲକର ୪ ଜଣ ଥିବା ବେଳେ ଅନ୍ୟ ସମସ୍ତ ୧୨ ଜଣ ବୁଗୁଡା ଅଞ୍ଚଳର ଅଟନ୍ତି । ସେମାନଙ୍କୁ ବୁଗୁଡା ବ୍ଲକକୁ ଫେରାଇ ଆଣିବାକୁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ହଲେ ୨୪ ତାରିଖ ଭୋର ପ୍ରାୟ ସାଢ଼େ ୫ ଘଣ୍ଟା ସମୟରେ ତ୍ରିନାଥ ମହାରଣା କେନ୍ଦ୍ର ବାହାରକୁ ଗଲାବେଳେ ଝୁଣ୍ଟି ପଡିଯାଇଥିଲେ । ଅଚେତ ଅବସ୍ଥାରେ ତ୍ରିନାଥଙ୍କୁ ମେଡିକାଲକୁ ନିଆଯାଇଥିଲା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ମାଦରପଟମ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ସେଠାରୁ ସ୍ବର୍ଗତ ତ୍ରିନାଥଙ୍କ ଶବ ଆମ୍ବୁଲାନ୍ସ ଯୋଗେ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ତ୍ରିନାଥଙ୍କ ନିଜ ଗ୍ରାମ ବେଠିଆ ବୋରଦା ଅଣାଯାଇଥିଲା । ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ବେଠିଆବୋରଦାରେ ପହଞ୍ଚି ଶୋକାକୁଳ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବିଧାୟକଙ୍କ ସହ ଖୋଳଖାଳି ପଞ୍ଚାୟତର ସମିତି ସଭ୍ୟ ବିବେକାନନ୍ଦ ବାରିକ ଯାଇଥିବା ବେଳେ ଶବ ସଂସ୍କାର ପର୍ଯ୍ୟନ୍ତ ରହି ସହଯୋଗ କରିଥିଲେ । ତ୍ରିନାଥଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଫସି ରହିଥିବା ଅନ୍ୟ ୧୫ ଜଣଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା