ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମହିଳାମାନେ ଦୁର୍ବଳା ନୁହନ୍ତି, ସେମାନେ ନିଜର ଅସୀମ ସାହସ, ଧୈର୍ଯ୍ୟ ଓ ନିଷ୍ଠାପର ସାଧନା ଦ୍ୱାରା ସମଗ୍ର ସମାଜରେ ଚିର ନମସ୍ୟ ହୁଅନ୍ତି ବୋଲି ଆଜି ପୂର୍ବାହ୍ନରେ ଜଳେଶ୍ୱର ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ବ୍ଲକ ସମ୍ମିଳନୀ କକ୍ଷରେ ଆନ୍ତଃର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଯୋଗ ଦେଇ ବକ୍ତାମାନେ ମତପ୍ରକାଶ କରିଛନ୍ତି । କମିଟିର ଅଧ୍ୟକ୍ଷ ତଥା ସବ୍ଜଜ୍ ବିନୋଦ ବିହାରୀ ସାହୁଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉତ୍ସବରେ ସିଭିଲ ଜଜ୍ (ଜୁନିୟର ଡିଭିଜନ) ସୁମିତ୍ରା ସାହୁ, ଜେଏମ୍ଏଫସି ପରିତୋଷ ସେଠୀ, ବରିଷ୍ଠ ଆଇନ୍ଜିବୀ ସୁନିଲ କୁମାର ଜେନା ଓ ରବିନ୍ଦ୍ର ଦଣ୍ଡପାଟ ପ୍ରମୁଖ ଅତିଥିରୂପେ ଯୋଗ ଦେଇ ହିନ୍ଦୁ ବିବାହ ଆଇନ୍, ୌଯତୁକ ନିରୋଧ ଆଇନ୍, ସମ୍ପତ୍ତିଗତ ଅଧିକାର ଆଇନ୍, ମହିଳା ହିଂସା ନିରୋଧ ଆଇନ୍ ସଂପର୍କରେ ବିସ୍ତୃତରୂପେ ବର୍ଣ୍ଣନା କରିଥିଲେ । ସେହିପରି ଆସିଡିଏସ୍ ସୁପରଭାଇଜର ସ୍ନେହଲତା ଦାସ, ଅଙ୍ଗନୱାଡି କର୍ମୀ ନେତ୍ରୀ ସବିତା ପରିଡା ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଓକିଲ ସଂଘର ସଂପାଦକ ବରିଷ୍ଠ ଆଇନ୍ଜିବୀ ମଦନ ମୋହନ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା