ତିତଲି ଓ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ ଘୋଷଣା

ଗଜପତି, ଗଞ୍ଜାମ ଓ ରାୟଗଡାର ଗୁଣୁପୁର ସବଡିଭିଜନ୍ ଅଞ୍ଚଳର ସବୁ ପରିବାରକୁ ଦିଆଯିବ ରିଲିଫ୍

ଭୁବନେଶ୍ୱର : ତିତଲି ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ଅନୁଧ୍ୟାନ କରିଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆକାଶ ମାର୍ଗରୁ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଳାର ସ୍ଥିତି ଅନୁଧ୍ୟାନ କରିଛନ୍ତି।  ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଯାଇ ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାର  ବିଭିନ୍ନ ଅଂଚଳ ଆକାଶ ମାର୍ଗରୁ ଦେଖିଛନ୍ତି। ଏହା ପରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚି  ଭୁବନେଶ୍ୱର ଫେରିବା ପରେ ସେ ସ୍ଥିତି ସମୀକ୍ଷା କରିବା ସହ ପ୍ରଭାବିତ ଅଂଚଳର ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ଦେଇଛନ୍ତି ।ମନ୍ତ୍ରୀସ୍ତରୀୟ କମିଟି ବିଭିନ୍ନ ଜିଲ୍ଲା ଗସ୍ତ କରି ପ୍ରଭାବିତ ଅଂଚଳରେ ସ୍ଥିତି ପରଖିବା ଅାରମ୍ଭ କରିଛନ୍ତି। ଅନ୍ୟପଟେ ୭ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ସ୍ୱାଭାବିକ ହେବ ଏବଂ ପାଣି ସମସ୍ୟା ତୁରନ୍ତ ଦୂର ହେବ ବୋଲି ସମୀକ୍ଷା ପରେ ମୁଖ୍ୟ ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଆଜି ସଂଧ୍ୟା ସୁଦ୍ଧା ଆସ୍କା, ପୁରୁଷୋତ୍ତମପୁରକୁ ବିଦ୍ୟୁତ ସଂଯୋଗ ହୋଇଯିବ । ଅନ୍ୟପଟେ ଗଜପତି ପାହାଡ଼ ଧସିବା ସ୍ଥଳକୁ ଉପଜିଲ୍ଲାପାଳ, ଏସପି ଓ ଡାକ୍ତରୀ ଦଳ ଯାଉଥିବା ନେଇ ସେ ସୂଚନା ଦେଇଛନ୍ତି। ତେବେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇ ରହିଥିବାରୁ ଘଟଣାସ୍ଥଳରେ ପହଞ୍ଚିବା ବିଳମ୍ବ ହେଉଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳ ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ରିଲିଫ୍ ଓ ପୁନରୁଦ୍ଧାରର ସମୀକ୍ଷା କରିକହିଛନ୍ତି। ତିତଲି ପ୍ରଭାବିତ ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ। ଉଦ୍ଧାର ଓ ରିଲିଫ କାମ କେମିତି ଚାଲିଛି ସେ ନେଇ ସେ ବୁଝିଛନ୍ତି। ଦୁର୍ଗମ ଅଂଚଳକୁ ହେଲିକପ୍ଟଟର ଯୋଗେ ରିଲିଫ ପଠାଯାଉଛି ଏବଂ ଆସନ୍ତା ୭ ଦିନ ରିଲିଫ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।ସାମୁଦ୍ରିକ ବାତ୍ୟା ତିତଲି ଓ ଏହାର ପରବର୍ତ୍ତୀ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି। ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି, ଗଞ୍ଜାମ ଓ ରାୟଗଡାର ଗୁଣୁପୁର ସବଡିଭିଜନ୍ ଅଞ୍ଚଳ ପାଇଁ  ଆସନ୍ତା ୧୫ ଦିନ ଦିନ ନିମନ୍ତେ ରିଲିଫ ଘୋଷଣା କରାଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ସ୍ୱାଭାବିକ କରିବା ସହ ପାନୀୟ ଜଳ ସମସ୍ୟାର ଦୂର କରିବା ପାଇଁ ପଦ​‌କ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶନିବାର ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ତିନି ଜିଲ୍ଲା ଗଜପତି, ଗଞ୍ଜାମ ଓ ରାୟଗଡାର ସ୍ଥିତି ଅନୁଧ୍ୟାନ କରିଥିଲେ । ଭୁବନେଶ୍ୱର ଫେରିବା ପରେ ସେ ସମୀକ୍ଷା କରିବା ସହ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏକ ୪ ଜଣିଆ ପରିବାରକୁ ହାରାହାରି ୩୦୦୦ ଟଙ୍କାର ରିଲିଫ ଦିଆଯିବ। ପରିବାରର ବୟସ୍କଙ୍କ ପାଇଁ ମୁଣ୍ଡପିଛା ଦୈନିକ ୬୦ ଟଙ୍କା ଓ ଶିଶୁଙ୍କ ପାଇଁ ୪୫ ଟଙ୍କାର ରିଲିଫ୍ ଯୋଗାଇ ଦିଆଯିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଯାତାୟତ ସ୍ୱାଭାବିକ କରାଯିବ ଓ ୯୦ ପ୍ରତିଶତ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଠିକ୍ କରାଯିବ। ଅନ୍ୟ ୧୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ୩ ରୁ ୫ ଦିନ ମଧ୍ୟରେ ସ୍ୱାଭାବିକ କରାଯିବ।  ରବିବାର ସୁଦ୍ଧା ନଳକୂପ ଗୁଡିକୁ କାର୍ଯ୍ୟକ୍ଷମ କରାଯିବ। ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ସହରାଞ୍ଚଳରେ ପାନୀୟ ଜଳ ସ୍ୱାଭାବିକ କରାଯିବା ସହ ଆବଶ୍ୟକ ସ୍ଥଳେ  ଜେନେରେଟର ବ୍ୟବସ୍ଥା କରାଯିବ। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଫସଲ ହାନୀ ଓ ଘର କ୍ଷୟ କ୍ଷତି ଆକଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଗଜପତି, ଗଞ୍ଜାମ ଓ ରାୟଗଡାର ଗୁଣୁପୁର ସବଡିଭିଜନ୍ ଅଞ୍ଚଳର ସବୁ ପରିବାରକୁ ରିଲିଫ୍ ଦିଆଯିବ।ତେବେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ୍ ଅନ୍ତର୍ଗତ ଗଙ୍ଗାବାଡ ପଂଚାୟତ ବାରଘର ଗ୍ରାମରେ ପାହାଡ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣା ଦୁର୍ଭାଗ୍ୟଜନକ ଓ ପ୍ରାକୃତିକ ବିପର୍ଯ୍ୟୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।